ଭାଲୁ କାମୁଡ଼ାରେ ବୃଦ୍ଧ ଗୁରୁତର, ଅନ୍ୟ ଜଣେ ବୃଦ୍ଧଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜୀବନ ପାଇଲେ ମୁରା ଯାନୀ
ଝରିଗାଁ: ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଝରୀ ଗ୍ରାମର ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ମୁରା ଯାନୀ (୭୦) ଲହୁଲୁହାଣ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଆଜି ମୁରା ଯାନୀ ଘରେ ଚାହା ପିଇ ପ୍ରତିଦିନ ଭଳି ପିକା ଟାଣିବା ଲାଗି ପତ୍ର ଆଣିବା ଉଦେଶ୍ୟରେ ଘର ପାଖରେ ଥିବା ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ସେ ଭାଲୁ ହାବୁଡ଼ରେ ପଡିଯାଇଥିଲେ। ତେବେ ପାଖ ବଡ଼ନୀ ଗ୍ରାମର ଅନ୍ୟ ଜଣେ ବୃଦ୍ଧ କଇଁତା କଲାର ପଛପଟୁ ଆସୁଥିବା ବେଳେ ମୂରାକୁ ଭାଲୁ କାମୁଡୁଥିବା ଦେଖି ପ୍ରାଣ ବିକଳରେ ଗଛ ଉପରେ ଚଢ଼ିଯାଇ ପାଟିକରି ଡକା ପକେଇଥିଲେ। ପାଟି ଶୁଣି ଗାଁର ଲୋକେ ଠେଙ୍ଗା-ବାଡ଼ି ଧରି ଜଙ୍ଗଲ ମଧ୍ୟକୁ ଯାଇ ଭାଲୁ କବଳରୁ ମୂରାକୁ ଉଦ୍ଧାର କରିଥିଲେ।
ଉଦ୍ଧାର ହେଲାବେଳକୁ ମୁରାଙ୍କର ମୁଣ୍ଡ ସାରା ଭାଲୁ କାମୁଡ଼ି ଗୁରୁତର କରିଦେଇଥିଲା। ତେବେ ଗୁରୁତର ଅବସ୍ଥାରେ ମୁରା ଯାନୀକୁ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତିକରାଯାଇଥିଲା। ତେବେ ଡକ୍ଟର ସୋମା ଏବଂ ଡକ୍ଟର ସନ୍ତୋଷ ପ୍ରଧାନ ବୃଦ୍ଧ ଜଣକର ଚିକତ୍ସା କରିଥିବା ବେଳେ, ଅଧିକ ଚିକତ୍ସା ଲାଗି ମୁରାଙ୍କୁ ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଦେଇଛନ୍ତି।
ବୃଦ୍ଧ ଜଣକର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ହେତୁ ଚିକତ୍ସା ଲାଗି ଜଙ୍ଗଲ ବିଭାଗର ସହାୟତା ଆବଶ୍ୟକତା ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ କଇଁତା କଲାରଙ୍କ ଉପସ୍ଥିତ ବୁଦ୍ଧି ଲାଗି ମୁରାକୁ ଉଦ୍ଧାର କରାଯାଇପାରିଥିବାରୁ ଗ୍ରାମବାସୀ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି।