ମୋ ସରକାରର ବିକଳ ଚିତ୍ର, ବୃଦ୍ଧଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ନିରାଶ ହୋଇ ୧୦୦ କିମି ଦୂର ବନ୍ଧୁଗାଁରୁ ଆସି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ :କୋରପୁଟ ଜିଲ୍ଲାରେ ମୋ ସରକାରର ବିକଳ ଚିତ୍ର ଦେଖିବାକୁ ମିଳିଛି। କୋରପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ସୁବିଧା ନ ମିଳିବାରୁ ଆଜି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ.ଅଖତରଙ୍କୁ ଭେଟି ଦାବି ଦୋହରାଇଛନ୍ତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାବିରିବାଡି ପଂଚାୟତର ରାଉତ ଅର୍ଜୁନ,ବୟସ  ୬୬ ଛୁଇଁଲାଣି । ବୟସର ଅପରାହ୍ନରେ ସେ ପହଂଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିନି ବାର୍ଦ୍ଧକ୍ୟ ଭତ୍ତା । ଭତ୍ତା ଖଣ୍ଡିକ ପାଇଁ ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ୬ବର୍ଷ ହେଲା ନେହୁରା ହୋଇ ଆସୁଛନ୍ତି । କେହି ବି ତାଙ୍କର ଦୁଃଖ ନବୁଝିବାରୁ ୧୦୦ କିମି ଦୂରରୁ ବସ ଯୋଗେ ଆସି ପହଂଚିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ଗ୍ରାମାଂଚଳରେ ଥିବା ଗରିବ ଗୁରୁବାଙ୍କ ପାଇଁ ସରକାର କରିଛନ୍ତି ମାଳ ମାଳ ଯୋଜନା । କିଛି ମନମୁଖୀ କର୍ମଚାରୀଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ସେଥିପାଇଁ ଦଶା ଭୋଗୁଛନ୍ତି ରାଉତ ଅର୍ଜୁନଙ୍କ ପରି ବୟସ୍କ । ମାତ୍ର ତାଙ୍କ ସ୍ତ୍ରୀ ସୋଦିଲି ରାଉତ ୫ବର୍ଷ ହେଲା ଭତା ପାଉଛନ୍ତି । ମାତ୍ର ୫୦୦ ଟଙ୍କା ଓ ୧୦ କେଜି ଚାଉଳରେ ଦୁଇ ପ୍ରାଣୀ ମାସେ ଯାଏଁ ଚଳୁଛନ୍ତି । ଦୁଇ ପୁଅ ଓ ଗୋଟେ ଝିଅ ଥିଲେ କେହି ପଚାରୁନାହାଁନ୍ତି । ଝୁପୁଡି ଘରେ ରହୁଛନ୍ତି,ଘରର କାନ୍ଥ ଭାଙ୍ଗିବା ସ୍ଥିତିରେ । ୩ବର୍ଷ ପୂର୍ବରୁ ଆବାସ ପାଇଁ ଆପ୍ଲାଇ କରିଥିଲେ,ଫଟୋ ଉଠିଲା ମାତ୍ର ଏ ପର୍ଯ୍ୟନ୍ତ ମିଳିନାହିଁ । ସେ କହିବା ଅନୁସାରେ ଝାଟି ମାଟି ଝୁପୁଡି ଘରେ ସ୍ତ୍ରୀଙ୍କ ଭତା ପଇସାରେ ଦିନ କାଟୁଛନ୍ତି । ସଂପତି କହିଲେ କିଛି ନାହିଁ । ବାର୍ଦ୍ଧକ୍ୟ ଭତା ଖଣ୍ଡିକ ଯଦି ମିଳନ୍ତା ଦୁଇ ପ୍ରାଣୀ କଷ୍ଟ ମଷ୍ଟ ଚଳିଯାନ୍ତୁ ।  ଆଶା ଭରସାରେ ଦରଖାସ୍ତ ଦେଇ ସେ ଫେରିଥିବା ଜଣାପଡିଛି ।
ସମ୍ବନ୍ଧିତ ଖବର