ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ଜାରି ରହିଛି। ପ୍ରାୟ ପ୍ରତ୍ୟେକ ଦିନ ହାତୀ ଉପଦ୍ରବ, ହାତୀ ମୃତ୍ୟୁ, ହାତୀ ଆକ୍ରମଣରେ ମଣିଷ ଜୀବନ ଯିବା ନଜରକୁ ଆସୁଛି। ଗତକାଲି ରାତିରେ ହାତୀ ଆକ୍ରମଣରେ ଜଣେ ୬୧ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଲାଠିକଟା ବ୍ଲକ ଦଲକି ଗ୍ରାମ ପଞ୍ଚାୟତ ରୁତୁକୁପେଡ଼ିର ବୀର୍ସି କୁଜୁର(୬୧)। ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍) ମର୍ଗ ହାଉସରେ ବୀର୍ସିଙ୍କ ଶବ ରହିଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ।
ରୁତୁକୁପେଡ଼ିରେ ବୀର୍ସି ତାଙ୍କର ୩ ପୁଅ, ୩ ଝିଅଙ୍କ ସହ ରହନ୍ତି। ଗତକାଲି ରାତିରେ ରାତ୍ରିଭୋଜନ ସାରି ପରିବାରର ସମସ୍ତ ୭ ଜଣ ସଦସ୍ୟ ଶୋଇ ପଡ଼ିଥିଲେ। ରାତି ପ୍ରାୟ ସାଢ଼େ ୧୧ ଟା। ରୁତୁକୁପେଡ଼ି ସଂରକ୍ଷିତ ଜଙ୍ଗଲରୁ ଦୁଇଟି ହାତୀ ଗାଁ ଭିତରକୁ ପଶି ଆସିଥିଲେ। ହାତୀ ଶବ୍ଦ ଶୁଣି ସମସ୍ତ ୬ ଭାଇ-ଭଉଣୀ ଘରୁ ଦୌଡ଼ି ପଳାଇଥିଲେ। ତେବେ ବୀର୍ସି ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଦୌଡ଼ି ନ ପାରି ଘରେ ଲୁଚି ରହିଥିଲେ। ଏତିକିବେଳେ ଦୁଇ ହାତୀ କାନ୍ଥକୁ ଧକ୍କା ଦେବାରୁ ତାହା ଭାଙ୍ଗି ବୀର୍ସିଙ୍କ ଉପରେ ପଡ଼ିଥିଲା। ଫଳରେ ସେ କାନ୍ଥ ତଳେ ଚାପି ହୋଇଯାଇଥିଲେ। ଦୀର୍ଘ ସମୟଧରି ହାତୀ ଗାଁରେ ବ୍ୟାପକ ଫସଲ ନଷ୍ଟ କରିବା ସହ ତାଣ୍ଡବ ରଚିଥିଲେ। ଭୋର୍ ସମୟରେ ହାତୀ ଜଙ୍ଗଲ ମୁହାଁ ହେବାରୁ ବୀର୍ସିଙ୍କୁ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ତିମ ସଂସ୍କାର ପାଇଁ ପରିବାରବର୍ଗଙ୍କୁ ବନ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Elephant-Killed-Woman_Illustration.jpg)