ଛତୁ ବଣ୍ଟାକୁ ନେଇ ବୀଭତ୍ସ ହତ୍ୟା, ବୃଦ୍ଧଙ୍କୁ ମାରି ନଦୀରେ ଫିଙ୍ଗିଦେଲେ

ବଡ଼ବିଲ: ଛତୁ ବଣ୍ଟାକୁ କେନ୍ଦ୍ର କରି ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିବା ପରେ ନଦୀରେ ଫିଙ୍ଗିଦେଲେ। ଦୁଇଦିନ ପରେ ବୃଦ୍ଧଙ୍କ ମୃତଦେହକୁ କାରୋ ନଦୀରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳ ପିଏଚଡି ନିକଟସ୍ଥ, ବାକଲହଟିଂ ଅଞ୍ଚଳର ବାବାଜୀ ମୁଣ୍ଡା (୬୦) ଗତ ୨୫ ତାରିଖରେ ହାୟାରପୁର ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ମାତ୍ର ସେ ଆଉ ଘରକୁ ଫେରି ନଥିଲେ। ବାବାଜି ମୁଣ୍ଡା ଘରକୁ ନଫେରିବା ନେଇ ତାଙ୍କ ପୁଅ ରାଜୁ ମୁଣ୍ଡା ବଡ଼ବିଲ ଥାନାରେ ୨୬ ତାରିଖରେ ବାପା ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବଡ଼ବିଲ ପୁଲିସ ଖୋଜାଖୋଜି କରିଥିଲେ ହେଲେ ବାବାଜୀଙ୍କର କୌଣସି ପତ୍ତା ପାଇ ନଥିଲେ।

୨୬ ତାରିଖ ସଂଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ହାୟାରପୁର ଗ୍ରାମର ଗୌର ମୁଣ୍ଡା (୨୫)ଙ୍କୁ ଥାନାକୁ ଆଣି ପଚରାଉଚୁରା କରିବାରୁ ସେ ସବୁ ମାନି ଯାଇଥିଲା। ଗୌରର ବୟାନ ଅନୁଯାୟୀ ଉଭୟ ବାବାଜୀ ମୁଣ୍ଡା ଓ ଗୌର ମୁଣ୍ଡା ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲୀ ଛତୁ ସଂଗ୍ରହ କରିଥିଲେ। ସଂଗ୍ରହ ହୋଇଥିବା ଛତୁ ବଣ୍ଟନକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଦୁହିଁଙ୍କ ମଧ୍ୟରେ ମାରପିଟ ହୋଇଥିଲା। ପ୍ରଥମେ ବାବାଜୀ ମୁଣ୍ଡା ଗୌର ମୁଣ୍ଡାକୁ କାମୁଡି ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌର ମୁଣ୍ଡା ଏକ କାଠଫାଳିଆରେ ବାବାଜୀଙ୍କୁ ପିଟିପିଟି ମାରିଦେବା ପରେ ସ୍ଥାନୀୟ କାରୋ ନଦୀରେ ଫିଙ୍ଗି ଦେଇଥିଲା।

ସମ୍ବନ୍ଧିତ ଖବର