ଦୁଇ ଦିନରେ ଦୁଇଟି ହତ୍ୟା: ମିରିକୋଟ ପରେ ମାଣିକପୁରରେ ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟଙ୍କୁ ନିର୍ମମ ହତ୍ୟା

ଭଞ୍ଜନଗର: ବଡଗଡ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ନିକଟସ୍ଥ ତେଲିଆ ଠାକୁରାଣୀ ମନ୍ଦିର ନିକଟରେ ଜଣେ ବୃଦ୍ଧକୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ଧରାକୋକଟ ବ୍ଲକ ବାହାରପୁର ପଞ୍ଚାୟତ ଅନ୍ତର୍ଗତ ଖାରିପଲ୍ଲୀ ଗ୍ରାମର ଭରତ ବେହେରା (୬୭)।ଭରତ ଗାଁ କମିଟିର ସଭ୍ୟ ରହିଥିବା ବେଳେ ତାଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଛତ୍ରୁପୁର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରି ଥିବା ନେଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଖାରିପଲ୍ଲୀ ଗ୍ରାମର ଭରତ ଆଜି ଭୋର ୫ଟା ବେଳେ ମୁଢ଼ି ବିକ୍ରି କରିବା ପାଇଁ ଘରୁ ବାହାରିଥିଲେ। ସେ ସାଇକେଲରେ ମୁଢ଼ି ଧରି ମାଣିକପୁର ଅଭିମୁଖେ ଯାଇଥିଲେ। କିନ୍ତୁ ସକାଳୁ ମାଣିକପୁର ରାସ୍ତାର ତେଲିଆ ଠାକୁରାଣୀ ମନ୍ଦିର ନିକଟସ୍ଥ ଜମିରେ ଭରତର ମୃତଦେହ ଦେଖିବାକୁ ମିଳିଥିଲା। ଭରତର ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ସେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ମୃତଦେହ ଠାରୁ ସ୍ୱଳ୍ପ ଦୂରରେ ତାଙ୍କର ସାଇକେଲ ମଧ୍ୟ ପଡିଥିବାର ଦେଖିବାକୁ ମିଳିଥିଲା। ସେହି ସାଇକେଲରେ ମୁଢ଼ି ବସ୍ତା ମଧ୍ୟ ବନ୍ଧା ହୋଇ ରହିଥିଲା।

ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଆସିକା ଏସଡିପିଓ ଶ୍ରୀ ପ୍ରଧାନ ଓ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏଥି ସହ ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆସି ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଭତର ଗାଁ କମିଟିର ସଭ୍ୟ ଥିଲେ। ଗତ କିଛି ଦିନ ପୂର୍ବରୁ ଧାନ ଗଦାରେ ନିଆଁ ଲାଗିଥିବା କାରଣରୁ ଗାଁ କମିଟର ନିର୍ଦ୍ଧେଶ କ୍ରମେ ୩ ଜଣ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା। ସେହି କମିଟରେ ଭରତ ଥିବାରୁ ତାଙ୍କୁ ଉଦ୍ଧେଶ୍ୟ ମୂଳକ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟରାର ତଦନ୍ତ ଜାରି ରଖିଛି। ଭରତକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ନେଇ ଏସଡିପିଓ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ଗତ ଡିସେମ୍ବର ୩୧ ରାତିରେ ମିରିକୋକଟ ଗ୍ରାମ ନିକଟସ୍ଥ ହରଡାଖାଲ ଜଙ୍ଗଲରେ ପରମାନନ୍ଦ ନାୟକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ଏହି ମାମଲରେ କାଲି ଠାରୁ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଲାଗି ପଡିଥିବା ବେଳ ଆଜି ଧାରୁଆ ଅସ୍ତ୍ର ସାହାଯ୍ୟରେ ପୁଣି ଏକ ହତ୍ୟାକାଣ୍ଡ ହୋଇଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର