ଆଧାର କରିଛି ଅଡୁଆ: ଆଙ୍ଗୁଠି ପାଇଁ ଅଟକିଛି ଭତ୍ତା

କୋରାପୁଟ: ଦୁର୍ଘଟଣାରେ କଟିଗଲା ଆଙ୍ଗୁଠି। ଆଉ ଏହି ଆଙ୍ଗୁଠି ଛିଣ୍ଡିବା ପରେ କୁଡି ହନ୍ତାଳଙ୍କ ଭାଗ୍ୟ ବି ଛିଣ୍ଡିବାରେ ଲାଗିଛି। କାରଣ ଆଙ୍ଗୁଠି ନ ଥିବାରୁ ‌ତାଙ୍କର ଆଧାର କାର୍ଡ ହୋଇ ପାରୁନି। ଏପଟେ ଆଧାର କାର୍ଡ ନ ଥିବାରୁ ସେ ସବୁ ସରକାରୀ ସହାୟତା ପାଇବାରୁ ବଂଚିତ ହେଉଛନ୍ତି। ଏପରିକି ଆଗରୁ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା ବି ଆଉ ମିଳୁନି। ଫଳରେ ଜୀବନର ଅପରାହ୍ନରେ ପହଞ୍ଚିଥିବା କୁଡିଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧାରକୁ ଚାଲି ଯାଇଛି।

କୋରାପୁଟ ଜିଲ୍ଲା ସଦର ବ୍ଲକ ସୁକୁ ପଞ୍ଚାୟତର ଶିରସା ଗ୍ରାମର କୁଡି ହନ୍ତାଳ (୮୫)ଙ୍କ ବାମ ଆଙ୍ଗୁଳି କିଛି ମାସ ତଳେ କଟି ଯlଇଥିଲା। ଘରେ କାମ କରୁଥିଲା ବେଳେ ଏକ ତିକ୍ଷଣ ଧାରୁଆ ଅସ୍ତ୍ର ଦ୍ଵାରା ଆଙ୍ଗୁଠି ହାତରୁ ଅଲଗା  ହୋଇ ଯାଇଥିଲା। ଆଉ ଏହା ପରଠାରୁ ତାଙ୍କର ଦୁଃଖ ଆରମ୍ଭ ହୋଇଯlଇଛି। ଆଙ୍ଗୁଠି ନ ଥିବାରୁ ତାଙ୍କର ଆଧାର କାର୍ଡ କରାଯାଇ ପାରୁନି।  ଯେତେ ଥର ଆଧାର କେନ୍ଦ୍ରକୁ ଯାଉଛନ୍ତି, ଖାଲି ହାତରେ ଫେରୁଛନ୍ତି। ଏପଟେ ବିଭିନ୍ନ ସରକାରୀ ଯୋଜନାର ଲାଭ ନେବା ପାଇଁ ଆଧାର ବାଧ୍ୟତାମୂଳକ ହେବା ପରେ ଏହା କୁଡିଙ୍କ ପାଇଁ ଅଡୁଆ ହେଉଛି।

ସେ ଆଗରୁ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲା ବେଳେ ଏବେ ଆଧାର କାର୍ଡ ନ ଥିବାରୁ ଏଥିରୁ ବଂଚିତ ହେଉଛନ୍ତି। ଏପରିକି ସରକାରଙ୍କ ଦ୍ଵାରା ଦିଆଯାଉଥିବା ରିହାତି ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟ କୌଣସି ଯୋଜନାରେ ନିଜ ନାମ ଲେଖାଇବା ପାଇଁ ମଧ୍ୟ ସେ ଅସୁବିଧାରେ ପଡୁଛନ୍ତି। ଫଳରେ ତାଙ୍କର ଜୀବନ ଦୁର୍ବିସହ ହୋଇପଡିଛି। ଏଥିନେଇ ପ୍ରଶାସନ ପାଖରେ ହାରି ଗୁହାରି କଲେ ମଧ୍ୟ କିଛି ଫଳ ମିଳୁନି। ଫଳରେ ଆଜି ସେ କୋରାପୁଟ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବାକୁ ପତ୍ନୀଙ୍କ ସହ ଆସିଥିଲେ। କିନ୍ତୁ ଜିଲ୍ଲାପାଳ ନ ଥିବାରୁ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆଙ୍କୁ ଦାବିପତ୍ର ଦେଇ ଫେରିଛନ୍ତି। ଏଥିନେଇ ବ୍ୟବସ୍ଥା କରାଯିବ ସହକାରୀ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ସେମାନେ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର