ଚାନ୍ଦୋଳ: ବସନ୍ତ ମଳିକ। ଚାନ୍ଦୋଳ ପଞ୍ଚାୟତ ଚାନ୍ଦୋଳ (ତୋଟାସାହି) ଦଳିତ ବସ୍ତିରେ ଘର। ବୟସ ପଞ୍ଚାଅଶୀ ଛୁଇଁଶି। ଅଣ୍ଟା ନଇଁ ଗଲାଣି। ଦେହରୁ ବଳ ନିଗିଡ଼ିଗଲାଣି। ରିକ୍ସା ଟାଣିବାର ଜୁ’ କିନ୍ତୁ ସତେଜ ଏଯାଏ। ଏବେ ବି ରିକ୍ସା ଧରି ପହଞ୍ଚି ଯାଉଛନ୍ତି ସେ ଚାନ୍ଦୋଳ ବସ୍ଷ୍ଟପ୍ରେ। କାଁଭାଁ କେଇ ଜଣ ଗ୍ରାହକ ଜୁଟିଗଲେ ତେଲଲୁଣ ସଂସାର ଚଳିଯାଉଛି ସୁରୁଖୁରୁରେ। ବସନ୍ତ କୁହନ୍ତି, ନିଇତି ସକାଳେ ସତେ ଯେମିତି ତାଙ୍କୁ ରିକ୍ସା ଡ଼ାକେ... ‘ଉଠ୍ ବସନ୍ତ ସକାଳ ହେଲା’....। ରିକ୍ସା ଖଣ୍ଡକୁ ସାହା କରି ଏମିତି ଜୀବନ ଜିଇଁ ଚାଲିଛନ୍ତି ସେ। ଯୁବାବସ୍ଥାରୁ ରିକ୍ସା ଟାଣି ଆସୁଛନ୍ତି ବସନ୍ତ। ଜୀବନର ଶେଷ ପାହାଚରେ ବି ରିକ୍ସାକୁ ଜାବୁଡ଼ି ଧରିଛନ୍ତି। ଦିନ ଥିଲା, ବନ୍ଧୁବାନ୍ଧବ ଘରକୁ ଯିବାକୁ ରିକ୍ସା ଲୋଡ଼ା ପଡ଼ୁଥିଲା। ରୋଗୀଙ୍କୁ ଡାକ୍ତର ପାଖକୁ ନେବାକୁ, ପର୍ବପର୍ବାଣୀରେ ଠାକୁରଙ୍କ ପାଖକୁ କିମ୍ବା ତୀର୍ଥସ୍ଥଳ ଯିବାକୁ ରିକ୍ସା ହିଁ ଖୋଜା ପଡ଼ୁଥିଲା। ଏବେ ତ ସେ ଦିନ ଆଉ ନାହିଁ। ତିନି ଚକିଆ, ଚାରିଚକିଆ ଗାଡ଼ିର ଭିଡ଼ ଭିତରେ ରିକ୍ସା ତା’ର ଅସ୍ତିତ୍ବ ହରାଇ ବସିଛି। ଆଉ କିଏ ରିକ୍ସା ଖୋଜୁଛି ?
ସେତେବେଳେ ବସନ୍ତଙ୍କ ଭଳି କିଛି ବ୍ୟକ୍ତି ଚାନ୍ଦୋଳଠାରେ ଧାଡ଼ି କରି ରିକ୍ସା ରଖୁଥିଲେ। ରିକ୍ସା ଟାଣି ପରିବାର ପୋଷୁଥିଲେ। କ୍ରମେ ରିକ୍ସାର ଚାହିଦା କମିଲା। ଅଧିକାଂଶ ଏହି ବୃତ୍ତିକୁ ମୁହଁ ମୋଡ଼ିଦେଲେ। ବସନ୍ତ କିନ୍ତୁ କିଛି ପରିଚିତ ଲୋକଙ୍କୁ ଗ୍ରାହକ ଭାବେ ବାନ୍ଧି ରଖିଥିଲେ। ଏବେ ବଳବୟସ କମିଲାଣି। ମାସିକ ବାର୍ଦ୍ଧକ୍ୟ ଭତ୍ତା ଗଣ୍ଡାକ ଔଷଧ ପାଣିକୁ ନିଅଂଟ ପଡ଼ୁଛି। ସକାଳ ହେଲା କ୍ଷଣି ରିକ୍ସା ତାଙ୍କୁ ହାତଠାରି ଡ଼ାକେ ବୋଲି କୁହନ୍ତି ସେ। ରିକ୍ସା ଧରି ଚାନ୍ଦୋଳ ବସ୍ଷ୍ଟପରେ ପହଞ୍ଚି ଯା’ନ୍ତି ସେ। ଗାଡ଼ିମୋଟରର ଯେତେ ସୁବିଧା ଥିଲେ ବି ଏମିତି କିଛି ଗ୍ରାହକ ଅଛନ୍ତି ଅଧିକ ସମୟ ଲାଗୁ ପଛେ ଗରିବ ଲୋକଟା ଦୁଇ ପଇସା ପାଉ ନ୍ୟାୟରେ ବସନ୍ତଙ୍କ ରିକ୍ସାରେ ବସି ପଡ଼ନ୍ତି। ସ୍ବାଭିମାନୀ ବସନ୍ତ ପରିଣତ ବୟସରେ ବି କାହା ହାତଟେକା ସାହାଯ୍ୟଠୁ ପରିଶ୍ରମ କରି ପେଟ ପୋଷିବାକୁ ଶ୍ରେୟ ମଣନ୍ତି।