ମାଲକାନଗିରି: ନନ୍ଦ ନାୟକ। ବୟସ ପାଖାପାଖି ୮୦ ଛୁଇଁବଣି। ପତ୍ନୀ ମାଳତୀ ନାୟକଙ୍କୁ ମଧ୍ୟ ସତୁରୀ ଡେଇଁବଣି। ଏହି ବୃଦ୍ଧ ଦମ୍ପତିଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ। ଝିଅ ବାହା ହୋଇ ଅନ୍ୟତ୍ର ଚାଲିଯାଇଥିବା ବେଳେ ପୁଅ ନିଜ ପରିବାରକୁ ନେଇ ଅନ୍ୟତ୍ର ରହୁଛି। ଏବେ ଏକ ଝୁପୁଡି କୁଡିଆ ଘରେ ନନ୍ଦ ଏବଂ ତାଙ୍କ ପତ୍ନୀ ମୁଣ୍ଡ ଗୁଞ୍ଜିଛନ୍ତି। ଦୁହିଁଙ୍କୁ ଭତ୍ତା ମିଳୁଛି। ସେତିକିରେ ଏହି ଦମ୍ପତି ମାସକ ଯାକ କଷ୍ଟେମଷ୍ଟେ ଚଳିଯାଉଛନ୍ତି। ତେବେ ଔଷଧ ଏବଂ ଅନ୍ୟ ଖର୍ଚ୍ଚ ପାଇଁ ଟଙ୍କା ଦରକାର ପଡୁଥିବା ବେଳେ ନନ୍ଦ ମାଲକାନଗିରି ସହର ବୁଲିବୁଲି ବିଭିନ୍ନ ଜିନିଷ ଆସୁଥିବା ଆଟ୍ଟା ଡକୁ (କାଗଜ, କାର୍ଡମୋର୍ଡରୁ ପ୍ରସ୍ତୁତ କାର୍ଟନ) ଗୁଡିକ ସଂଗ୍ରହ କରି ତାକୁ ବିକ୍ରି କରି ଯାହା ମିଳେ ସେତିକିରେ ଏହି ବୃଦ୍ଧ ଦମ୍ପତି ଖର୍ଚ୍ଚ କରନ୍ତି। ପ୍ରଚଣ୍ଡ ଶୀତରେ ମଧ୍ୟ ନନ୍ଦ ସକାଳୁ ଉଠି ଆଟ୍ଟା ଡକୁ ଗୁଡିକ ଖୋଜିବାକୁ ବାହାରି ପଡନ୍ତି।
ତେବେ ଦୈନିକ ୩୦ ରୁ ୫୦ ଟଙ୍କା ମଧ୍ୟରେ ହିଁ ନନ୍ଦ ରୋଜଗାର କରିପାରୁଛନ୍ତି। ଜୀବନର ଅପରାହ୍ନରେ ମଧ୍ୟ ପେଟ ପାଇଁ କାମ କରିବାକୁ ପଡୁଥିବା ନନ୍ଦ କହନ୍ତି। ନନ୍ଦଙ୍କ ଅଣ୍ଟା ସଳଖୁ ନଥିଲେ ମଧ୍ୟ ଧୀରେ ଧୀରେ ସହର ସାରା ବୁଲି ଆଟ୍ଟା ଡକୁ ଗୁଡିକ ସଂଗ୍ରହ କରୁଥିବା ଦେଖିବାକୁ ମିଳେ। ତେବେ ଏତିକି ଟଙ୍କାରେ ମଧ୍ୟ ଏହି ବୃଦ୍ଧ ଦମ୍ପତ୍ତି ବେଶ ଖୁସିରେ ରହୁଥିବା କହନ୍ତି। ବେଳେ ବେଳେ କିଛି ବଦାନ୍ୟ ବ୍ୟକ୍ତି ଏହି ଦମ୍ପତିଙ୍କୁ ସହଯୋଗର ହାତ ମଧ୍ୟ ବଢାଇଥାନ୍ତି।ଏବେ ଜିଲ୍ଲାରେ ପ୍ରଚଣ୍ଡ ଶୀତ ଆରମ୍ଭ ହୋଇଥିବା ବେଳେ ଏମାନଙ୍କ ପାଖରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗୋଟିଏ ଭଲ କମ୍ବଳ ମଧ୍ୟ ନାହିଁ। ଯାହାଦ୍ବାରା ସେମାନେ ରାତିରେ ବହୁ କଷ୍ଟରେ ଶୋଇ ପାରୁଥିବା ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ ବର୍ଷବର୍ଷ ଧରି ଏଭଳି ଭାବେ ବଞ୍ଚି ଆସୁଥିବା ସେ କହନ୍ତି। ତେବେ ସରକାରଙ୍କ ତରଫରୁ ଏହି ଦମ୍ପତିଙ୍କୁ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ଗୃହ ନିର୍ମାଣ କରାଯାଏ ତେବେ ଏହି ଦମ୍ପତି ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।