ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ବ୍ରାଉନସୁଗାରର ଭଳି ମାରାତ୍ମ ନିଶା କାରବାର, ବେଆଇନ ଜମି ମାଫିଆ, ଖଣି ମାଫିଆ ଓ ଓଡ଼ିଶାର ପ୍ରକୃତିର ରାଣୀ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ନେଇ ୨୦୧୯ ନିର୍ବାଚନ ପରଠାରୁ ଚାରି ଚାରି ଜଣ ଜିଲ୍ଲାପାଳ ହରଡଘଣାରେ ପଡ଼ିଛନ୍ତି, କିନ୍ତୁ ଜଣେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇନାହାନ୍ତି। ବର୍ତ୍ତମାନ ପ୍ରାୟ ୩ ବର୍ଷ ପରେ ଭାରତୀୟ ପ୍ରାଶାସନିକ ସେବା ପାହ୍ୟାର ଅଧିକାରୀ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି, ତାଙ୍କ ସମ୍ମୁଖରେ ମଧ୍ୟ ଏହି ସମସ୍ତ ପୁରୁଣା ପ୍ରସଙ୍ଗ ଆହ୍ୱାନ ସୃଷ୍ଟି କରିବ। ବେଆଇନ ମାଙ୍କଡ଼ା ପଥର, ମୋରମ ଖଣି, ପରବେଶ ଆଇନର ଖିଲାପରେ ଗଢ଼ି ଉଠିଥିବା କ୍ରସର ୟୁନିଟକୁ ନେଇ ଏକାଧିକ ମାମଲା ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ଏନଜିଟି ଓ ଉଚ୍ଚ ନ୍ୟାୟାଳୟ ନିକଟରେ ବିଚାରାଧୀନ ରହିଛି। ଏହାମଧ୍ୟରୁ କେତୋଟିରେ ରାୟ ପ୍ରକାଶ ପାଇଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ଜମିରେ ବେଆଇନ ପଥର ଖଣିକୁ ନେଇ ମାମଲା ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ନିକଟରେ ଗତ ୪ ବର୍ଷ ଧରି ବିଚାରାଧୀନ ରହିଛି। ଅଧିକାଂଶ ମାମଲାରେ ନିଜର ଅପରାଗତା ଯୋଗୁଁ ଜିଲ୍ଲା ପ୍ରଶାସନ ନ୍ୟାୟାଳୟରେ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛି। ବେଆଇନ ପଥର ଖଣି ନିୟନ୍ତ୍ରଣରେ ପ୍ରଶାସନର ବିଫଳତାକୁ ନେଇ ଏନଜିଟି ବାରମ୍ବାର ତାଗିଦ୍ କରିବା ସହ ଜିଲ୍ଲାପାଳଙ୍କୁ ପ୍ରତ୍ୟକ୍ଷ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। କେବଳ ଏହାନୁହେଁ ଖଣି ମାଫିଆଙ୍କ ଉପରେ ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତା କରୁଛନ୍ତି ବୋଲି ସମାଲୋଚନା କରିଥିଲେ। ଯଦିଓ ଏନଜିଟିଙ୍କ ନିର୍ଦେଶ ପରେ ପ୍ରଶାସନ ପକ୍ଷରୁ ୨୦୨୦-୨୧ ଓ ୨୦୨୧-୨୨ରେ ବିଭିନ୍ନ ତହସିଲ ଅଞ୍ଚଳରେ ବ୍ୟାପକ ଚଢ଼ଉ କରାଯାଇ ରେକର୍ଡ ପରିମାଣରେ ଜୋରିମାନା ଆଦାୟ ଓ ଲୋକଙ୍କୁ ଗିରଫ କରାଯାଇଛି। କିନ୍ତୁ ବେଆଇନ ଖଣିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ।
ଅପରପକ୍ଷରେ ଆବଶ୍ୟକ ପରିବେଶ ମଞ୍ଜୁରୀ, ପରିବହନ ପାଇଁ ଅନୁମତି ନଥାଇ ଶତାଧିକ କ୍ରସର ୟୁନିଟ୍ ଗଢ଼ି ଉଠିଥିଲା। ଏହା ଉପରେ ଏସଟିଏଫ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କ୍ରମାଗତ ଚଢ଼ଉ ପରେ ଅନେକ ବନ୍ଦ ପଡ଼ିଛି। ଗୋଟିଏ ପଟେ ଯଦିଓ ପରିବେଶ ଉପରେ ବେଆଇନ କ୍ରସର ୟୁନିଟର କୁପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ଜିଲ୍ଲାରେ ଏହାକୁ ନେଇ ଗଢ଼ି ଉଠିଥିବା ଅର୍ଥନୈତିକ ବ୍ୟବସ୍ଥା ବିଗିଡ଼ି ଯାଇଛି। ଅନେକ ଶ୍ରମିକ ନିଯୁକ୍ତି ହରାଇଛନ୍ତି। ଏହାକୁ ନେଇ କ୍ରସର ମାଲିକ ଓ ପ୍ରଶାସନ ମଧ୍ୟରେ ଗତ ୩ବର୍ଷ ଧରି ଟଣାଓଟରା ଚାଲିଛି। ସେହିଭଳି ଚିଲିକାରେ ଗଢ଼ି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରି ହଟାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରିନାହିଁ। ଏନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି ଓ ନିୟମିତ ଭାବେ ଉଚ୍ଚନ୍ୟାୟାଳୟ ଖୋର୍ଦ୍ଧା ସମେତ ଗଞ୍ଜାମ, ପୁରୀ ଜିଲ୍ଲାପ୍ରଶାସନକୁ ତାଗିଦ୍ କରିଆସୁଛନ୍ତି।
ବର୍ତ୍ତମାନ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବ୍ରାଉନସୁଗାର ଭଳି ବେଆଇନ ନିଶା କାରବାର ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି। ଅବକାରୀ ବିଭାଗ ଜିଲ୍ଲାପାଳଙ୍କ ଅଧୀନରେ ଥିବାବେଳେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅବକାରୀ କର୍ମଚାରୀଙ୍କ ଅଭାବ ଲାଗି ରହିଛି। ବ୍ରାଉନସୁଗାର ଭଳି ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧରିବାରେ ଅବକାରୀ ବିଭାଗ ପ୍ରାୟତଃ ପଛୁଆ ରହିଛି। ନୂତନ ଜିଲ୍ଲାପାଳ ଆଜି କାର୍ଯ୍ୟରେ ଯୋଗ ଦେବା କ୍ଷଣରୁ ଜିଲ୍ଲାର ସାଧାରଣ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବେ ବୋଲି କହିବା ସହ ସୁବ୍ୟବସ୍ଥିତ ପ୍ରଶାସନ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କରି ସମୟରେ ପୁରୁଣା ସମସ୍ୟା ଗୁଡ଼ିକର ସମାଧାନ କରିବାରେ କିଭଳି ସକାରାତ୍ମକ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।