ତୁଷୁରା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଜାମୁଟ ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ଦାବିରେ ପୁରାତନ ଛାତ୍ର ସଂଘ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛି। ଫଳରେ ଛାତ୍ରଛାତ୍ରୀ ସ୍କୁଲକୁ ପ୍ରବେଶ କରିପାରି ନଥିବା ବେଳେ ଗଛତଳେ ପାଠ ପଢ଼ିବା ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ମୋଟ ୧୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ଆବଶ୍ୟକ ଅନୁସାରେ ଶ୍ରେଣୀ କୋଠରି ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି। ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ଶ୍ରେଣୀ କୋଠରି ନିର୍ମାଣ ପାଇଁ ୯.୫ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ମାର୍ଚ୍ଚ ୨୦୨୩ରେ କାମ ଆରମ୍ଭ ହୋଇଥିଲା। ହେଲେ ବର୍ତ୍ତମାନ କୋଠାକାମ ଅଧାପନ୍ତରିଆ ପଡ଼ିଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାମ ସଂପୂର୍ଣ୍ଣ ନେଇ ପୁରାତନ ଛାତ୍ର ସଂଘ ବହୁବାର ବ୍ଲକ ପ୍ରଶାସନଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଫଳରେ ଗତ ୨୧ ଡିସେମ୍ବରରେ ୩୧ ତାରିଖ ସୁଦ୍ଧା କାମ ଆରମ୍ଭ ନକଲେ ଜାନୁଆରି ୩ ତାରିଖରେ ସ୍କୁଲ ଫାଟକରେ ତାଲା ଦେଇ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା।
ସେହିକ୍ରମରେ ସ୍କୁଲ ଫାଟକରେ ତାଲା ପକାଇ ସଂଘ ସଦସ୍ୟମାନେ ଧାରଣା ଦେଇଥିଲେ। ଏବିଇଓ ରମେଶ ସମାର୍ଥ ଓ ସିଆର୍ସିସି ସମୀର ପଧାନ ସ୍କୁଲକୁ ଆସି ସଦସ୍ୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ଶୁଣିନଥିଲେ। ପରେ ସ୍କୁଲ ଗେଟ୍ରେ ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ଗଛ ତଳେ ପାଠ ପଢ଼ାଇଥିଲେ। ପରେ ବିଇଓ ଋଷିଆ ମେହେର ଓ ସହକାରୀ ଯନ୍ତ୍ରୀ ଅମିତ ମୁର୍ମୁ ଆସି ଆସନ୍ତାକାଲିଠାରୁ କାମ ଆରମ୍ଭ କରି ୨ ମାସ ମଧ୍ୟରେ ଶେଷ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ସଦସ୍ୟମାନେ ଧାରଣାରୁ ଓହରିଥିଲେ। ଏହି ଦାବି ସମାବେଶରେ ପୁରାତନ ଛାତ୍ର ସଂଘ ସଭାପତି ହେମନ୍ତ ମହାକୁର, ସମ୍ପାଦକ ମହେନ୍ଦ୍ର ନନ୍ଦ, ସମ୍ବିତ ଭୋଇ, ୱାରଫ ଖାଁ, କୁବେର ବେହେରା, ଅମିତ ଖାଁ, ଇରିସାତ ଖାଁ, ଆଶିଷ ବେହେରା, ପିଣ୍ଟୁ ବେହେରା, ନଜିବୁଲ୍ଲା ଖାଁ, ଦୁର୍ଯ୍ୟୋଧନ ମୁଦୁଲି, ରିକେଶ ମୁଦୁଲି, ସିଦ୍ଧାନ୍ତ ଘିଭେଲା, ରିପୁନ ମହାକୁର, ନୂଆଖାଇ ରଣା, କୁନା ମାଝୀ, କାହ୍ନୁ ମାଝୀ, ଜତନ ରଣା, ଗୌତମ ବେହେରା, ସୁଚିବନ୍ତ ମୁଦୁଲି ପ୍ରମୁଖ ସାମିଲ ଥିଲେ।