ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମର ବିଧବା ବୃଦ୍ଧା (୯୫) ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେଇଛନ୍ତି। ସେ ମନ୍ଦିର ପାଣ୍ଠିରେ ନିଜ ବାର୍ଦ୍ଧକ୍ୟ ଭତ୍ତା ଅର୍ଥରୁ ଏକ ଶହ ଟଙ୍କା ଦାନ କରି ଅଗାଢ଼ ଭକ୍ତିର ପରିଚୟ ଦେଇଛନ୍ତି। ଆଜି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ପାଇଁ ଘର ଘର ବୁଲି ଶ୍ରୀରାମ ନିଧି ସଂଗ୍ରହ କରୁଥିବା ସମୟରେ ଜଣେ ଶଯ୍ୟାଶାୟୀ ବୃଦ୍ଧା ମଦନା ବେହେରା ଘର ସାମନାରେ ନିଧି ସଂଗ୍ରହ କରିବାକୁ ଯାଉଥିବା ଯୁବକମାନଙ୍କୁ ଦେଖି କଣ ପାଇଁ ଏହି ରାସ୍ତାରେ ଯୁବକମାନେ ଯାଉଛନ୍ତି ବୋଲି ଲୋକମାନଙ୍କୁ ପଚାରିଥିଲେ । ସେହି ଲୋକମାନେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ସଂଗ୍ରହ କରୁଛନ୍ତି ବୋଲି କହିବା ପରେ ବୃଦ୍ଧା ଜଣକ ଗତ ପନ୍ଦର ତାରିଖ ଦିନ ପାଇଥିବା ବାର୍ଦ୍ଧକ୍ୟ ଭତ୍ତା ପାଞ୍ଚ ଶହ ଟଙ୍କାରୁ ଏକଶହ ଟଙ୍କା ଦାନ କରିଥିଲେ।
ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ କରିବା ପରେ ମଦନା ବେହେରା କହିଥିଲେ ଯେ, ‘ଔଷଧ ଖାଇବି ନାହିଁ। କିନ୍ତୁ ଭଗବାନ ଶ୍ରୀରାମଙ୍କ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଏକଶହ ଟଙ୍କା ଦାନ କରୁଛି’। ବୃଦ୍ଧା ଜଣକ କିଛି ଦିନ ତଳେ ପଡି ଯାଇଥିଲେ। ଅଣ୍ଟା ଉଠୁ ନଥିବାରୁ ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି। ତାଙ୍କ ପୁଅ ଝିଅ ଜମି ବାଡ଼ି କିଛି ନଥିବା ବେଳେ କେବଳ ବିଧବା ବୋହୂ ଏକା ସାହାଭାରସା । ଏଭଳି ସ୍ଥିତିରେ ଥାଇ ମଧ୍ୟ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଏକଶହ ଟଙ୍କା ଦାନ କରିବା ତାଙ୍କ ପକ୍ଷେ କଷ୍ଟ ହୋଇଥିବା ସତ୍ୱେ ମଧ୍ୟ ଏକଶହ ଟଙ୍କା ଦାନ ଦେଇ ବିଶାଳ ହୃଦୟର ପରିଚୟ ସୃଷ୍ଟି କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ନିଧି ସଂଗ୍ରହ ସମୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଦୀପ ରାଉତରାୟ, ବିଶ୍ୱରଞ୍ଜନ ଦଣ୍ଡସେନା, ବ୍ରହ୍ମାନନ୍ଦ ରାଉତରାୟ, ସନ୍ତୋଷ ଦଣ୍ଡସେନା, ସୁଶାନ୍ତ ବିଶି, ରୁଦ୍ରମାଧବ ରାଉତରାୟ, ଧନଞ୍ଜୟ ଦଣ୍ଡସେନା, ଆଲୋକ ରାଉତରାୟ, ରାଜା ଦଣ୍ଡସେନା ପ୍ରମୁଖ ସାମିଲ ଥିଲେ ।