ରାୟଗଡା: ରାୟଗଡା ଜିଲ୍ଳାର କାଶୀପୁର ବ୍ଲକ ଅନ୍ତର୍ଗତ କୁମ୍ଭାରଶିଳା ଗ୍ରାମରେ ବସବାସ କରୁଥିବା ପଦ୍ମିନୀ କୁମ୍ଭାରଙ୍କ ପରିବାରର ଦୁଃଖଦ କାହାଣୀ। ପଦ୍ମିନୀ ଗତ ଚାଳିଶି ବର୍ଷ ତଳେ ବାୟା କୁମ୍ଭାରଙ୍କୁ ବାହା ହୋଇଥିଲେ। ବିବାହର କିଛି ବର୍ଷ ବେଶ ଖୁସିରେ କଟିଥିଲା। ଘରେ ଖୁସିର ଖବର ମଧ୍ୟ ଆସିଥିଲା ଯେ ପଦ୍ମିନୀ ମା’ ହେବାକୁ ଯାଉଛନ୍ତି। ଏହି ଦମ୍ପତ୍ତିଙ୍କର ପ୍ରଥମେ ଝିଅଟିଏ ଜନ୍ମ ହେଲା। ତାହାର ନାମ ହେମଲତା ଦେଲେ। ଝିଅଟି ପିଲାବେଳେ ସୁନ୍ଦର ଏବଂ ଡଉଲଡାଉଲ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ ସେ ଅନ୍ଧ। ଆଖିକୁ ଦେଖାଯାଉ ନାହିଁ।ପରିବାରରେ ଦୁଃଖର ପାହାଡ ପଡି ଯାଇଥିଲା। ଆଉ ଦୁଇବର୍ଷ ପରେ ଘରେ ପୁଣି ଖୁସିର ଲହରି ଖେଳିଥିବା ପୁଅ ଜନ୍ମ ହେବାରୁ। କିନ୍ତୁ ଭାଗ୍ୟର ବିଡମ୍ବନା ସେହି ପୁଅ ମଧ୍ୟ ଦୁନିଆ ଦେଖି ପାରୁନଥିଲା। ଦୁଇ ସନ୍ତାନ ଭିନ୍ନକ୍ଷମ ପାଲଟିଥିବାରୁ ପରିବାରରେ ସବୁବେଳେ ଦୁଃଖ ଲାଗି ରହିଥିଲା। ପୁଣି ଦୁଇବର୍ଷ ପରେ ଝିଅ ଜନ୍ମ ହେଲା, ସେ ବି ଆନ୍ଧ ପାଲିଟି ଗଲା। ସ୍ବାମୀ ବାୟା କୁମ୍ଭାର ପିଲାଙ୍କର ଏଭଳି ଅବସ୍ଥା ଦେଖି ଚିନ୍ତା ଗ୍ରସ୍ତ ହୋଇ ଅଜଣା ରୋଗର ଶିକାର ହୋଇ ମୃତ୍ୟୁବରଣ କଲେ। ପଦ୍ମିନୀ ଉପରେ ପିଲାଙ୍କର ଭାର ପଡିଗଲା। ସେ କୁଲି ମଜୁରୀ କରି ପିଲାଙ୍କୁ ବଡ କଲେ।ଏବେ ବଡ ଝିଅ ହେମଲତାକୁ ୩୫ ବର୍ଷ ହୋଇଥିବା ବେଳେ ପୁଅ ରାମଲୁକୁ ୩୩ ବର୍ଷ ଏବଂ ସାନ ଝିଅ ସମ୍ବାରୀକୁ ୩୦ ବର୍ଷ ହେବ।

Advertisment

ଛୋଟରୁ ବଡ଼ କରିବାରେ କୌଣସି ପ୍ରକାର ହେଳା କରି ନାହାଁନ୍ତି ପଦ୍ମିନୀ। କିନ୍ତୁ ଏବେ ପିଲା ବଡ ହେବା ପରେ ସେମାନଙ୍କର ଦେଖାଶୁଣା କରିବା ଏବଂ ଦୁଇ ବେଳେ ମୁଠାଏ ଦାନା ଦେବା ପଦ୍ମିନୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।ସେ ଆଉ ଆଗ ଭଳି କାମ କରି ପାରୁନାହାଁନ୍ତି। ତିନି ପୁଅ ଝିଅଙ୍କ ଭତ୍ତା ଓ ନିଜର ଭତ୍ତାରେ କିଛି ଦିନ ପରିବାର ଯେକୌଣସି ପ୍ରକାର ଚଳି ଯାଉଥିବା କହନ୍ତି। ଦିନ ଦିନ ଉପବାସ ରହିବାକୁ ବାଧ୍ୟ ହେଉଥିବା ପଦ୍ମିନୀ କ୍ଷୋଭର ସହ ପ୍ରକାଶ କରିଥିଲେ। ତେବେ ଗ୍ରାମବାସୀଙ୍କ ସହଯୋଗରେ ଦୁଇ ମୁଠା ଦାନା କେବେ କେବେ ମିଳିଯାଏ। ଆଜି ମଙ୍ଗଳବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ତିନି ପିଲାଙ୍କ ଭବିଷ୍ୟତ ନେଇ ପଦ୍ମିନୀ ଗୁହାରି କରିଥିଲେ। ତାଙ୍କର ଯଦି ମୃତ୍ୟୁ ହୋଇଯାଏ ତେବେ ପିଲାମାନେ କିପରି ବଞ୍ଚିବେ ବୋଲି ନେହୁରା ହୋଇ କହିଥିଲେ। ଜିଲ୍ଲାପାଳ ସ୍ବଧାଦେବ ସିଂହ ତିନିଜଣ ପିଲାଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ସହଯୋଗ କରିଥିଲେ। ଏତିକିରେ ସେମାନଙ୍କର ଦୁଃଖ ଦୂର ହେବ ନାହିଁ। ଏହି ତିନି ଜଣଙ୍କର ଚିକିତ୍ସା ହେଲେ ହୁଏତ ସେମାନେ ଦୁନିଆକୁ ଦେଖି ପାରିବେ ବୋଲି ଦୁଃଖୀ ମା’ ପ୍ରଶାସନକୁ ଅନୁରୋଧ କରିଛି।