ଆବାସ ଯୋଜନା କାହାପାଇଁ ? ୫ବର୍ଷ ଦୌଡିବା ପରେ ବି ବୃଦ୍ଧାଙ୍କୁୁ ମିଳିନି ପକ୍କାଘର 

ଜୟପୁର : ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗରୀବ ଓ ନିରାଶ୍ରୟ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ଭୂମିହୀନଙ୍କୁ ଭୂମି  ଓ ପକ୍କାଘର ନଥିବା ଲୋକଙ୍କୁ ପକ୍କାଘର ଦେବାକୁ ବି ଯୋଜନା କରିଛନ୍ତି। ତେବେ ପ୍ରକୃତ ହିତାଧିକାରୀ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେବା ପରେ ବି ତାଙ୍କୁ ପକ୍କା ଘର ଖଣ୍ଡିକ ମିଳୁନି । ଏଠାରେ ପ୍ରଶ୍ନ ଉଠୁଛି ଏହି ଆବାସ ଯୋଜନା କାହାପାଇଁ ?

ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର କୋଟପାଡ଼ବ୍ଲକର କୁସୁମି ପଂଚାୟତ ଅନ୍ତର୍ଗତ ଚରାମୁଳା ଗ୍ରାମ ୱାର୍ଡ ନଂ ୮ର ପ୍ରେମଶିଳାଙ୍କ କ୍ଷେତ୍ରରେ । ପ୍ରେମଶିଳା ନୀଳକମଲ ଜଣେ ଅନୁସୂଚିତ ସଂପ୍ରଦାୟର ବୃଦ୍ଧା। ବୟସ ୬୬ବର୍ଷ । ଆଖି ଭଲ ଭାବେ ଦିଶୁନି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ନାହିଁ। ନୂଆଣିଆ ଚାଳଘରକୁ ପ୍ରତିବର୍ଷ ଛାଉଣି କରିପାରୁ ନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ଘର ଭିତରକୁ ପଡ଼ିଥାଏ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡମାନ ଛପର ସାରା ଭର୍ତ୍ତି । ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ବ୍ଲକ୍ ଓ ପଂଚାୟତ କାର୍ଯ୍ୟାଳୟକୁ ଗତ ୫ବର୍ଷ ହେବ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ଅଥଚ ଏହା ତାଙ୍କ ଭାଗ୍ୟରେ ଆଜିଯାଏ ଜୁଟି ପାରି ନାହିଁ । ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିଲେ ହେଁ ଭେଟି ନ ପାରି ନିରାଶ ହୋଇ ଫେରିଛନ୍ତି ପ୍ରେମଶିଳା। ସେ ସବୁ ଦୃଷ୍ଟି କୋଣରୁ ଆବାସ ପାଇବାକୁ ଯୋଗ୍ୟ ଥିବାବେଳେ  ତାଙ୍କୁ କାହିଁକି ଘର ଖଣ୍ଡିକ ଯୋଗାଇ ଦିଆଯାଉନି ତାହାକୁ ନେଇ ସେ ନିଜେ ବି ସନ୍ଦିହାନ । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ସରକାରୀ ଯୋଜନାକୁ ପ୍ରହସନରେ ପରିଣତ ନକରି ତୁରନ୍ତ ବୃଦ୍ଧା ପ୍ରେମଶିଳାକୁ ଆବାସ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର