‘ଅପହୃତା ଝିଅକୁ ଖୋଜି ଆଣି ଦିଅ ପୁଲିସ ବାବୁ’, ଗୁହାରି ପତ୍ର ଧରି ୨ ମାସ ହେଲା ଥାନା ଦୌଡ଼ୁଛନ୍ତି ବୁଢ଼ୀମା

ସୁନ୍ଦରଗଡ଼: ‘ମୋ ବଢ଼ିଲା ଝିଅକୁ ଅପହରଣ କରାଯାଇଛି। ଯାଜପୁରରେ ଜଣେ ଯୁବକ ତାକୁ ନଜରବନ୍ଦୀ କରି ରଖିଛି। ଝିଅକୁ ଖୋଜି ଆସିଲେ ଜୀବନରେ ମାରିଦେବି ବୋଲି ଫୋନରେ ଧମକ ଦେଉଛି। ମୋ ଝିଅ ସେଠାରେ କଲବଲ ହେଉଛି। ତାକୁ ଜଲଦି ଖୋଜି ଆଣିଦିଅ ପୁଲିସ ବାବୁ’। ହାତରେ ଗୁହାରି ପତ୍ର ଓ ମୁହଁରେ ଏ ଆକୁଳ ନିବେଦନ ନେଇ ୨ ମାସ ହେଲା ଥାନାରୁ ଏସପି ଅଫିସ ଯାଏ ଦୌଡ଼ୁଛନ୍ତି କିଞ୍ଜିରକେଲା ଥାନା କୁଲବା ଗାଁର ସତୁରି ବର୍ଷର ଆଦିବାସୀ ବୃଦ୍ଧା ସେବତୀ ଧୃଆ। ହେଲେ କେହି ତାଙ୍କ କଥା ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି। ସବୁଠାରୁ ଉଦବେଗଜନକ କଥା ହେଲା, ୨ ମାସ ତଳେ କିଞ୍ଜିରକେଲା ଥାନାରେ ଦେଇଥିବାି ଏତଲା ଉପରେ ପୁଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଆଦିବାସୀ ଯୁବତୀ ଅପହରଣ ପରି ଅତି ସମ୍ବେଦନଶୀଳ ଅଭିଯୋଗ ପ୍ରତି ପୁଲିସର ଏ ପ୍ରକାର ବେପରୱା ମନୋଭାବ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାରଣରୁ ଅନେକ ସମୟରେ ପୁଲିସ ଉପରୁ ସାଧାରଣଲୋକଙ୍କ ବିଶ୍ବାସ ବା ଭରସା ତୁଟି ଯାଉଥିବା ସମାଜସେବୀ ଦିଲୀପ ପଣ୍ଡା ମତବ୍ୟକ୍ତ କରିଛନ୍ତି।

ବୁଢ଼ୀମା ସେବତୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ଦଶମ ପାସ କରିବା ପରେ କଲେଜ ପଢ଼ିବାକୁ ଚାହିଥିଲା। କିନ୍ତୁ କମ୍ ମାର୍କ ଥିବାରୁ ସୁନ୍ଦରଗଡ଼ର କୌଣସି କଲେଜରେ ସେ ନାମ ଲେଖାଇ ପାରିଲା ନାହିଁ। ଏହି ସମୟରେ ଗାଁର ଏକ ପରିବାରର ସମ୍ପର୍କୀୟ ଝାରସୁଗୁଡ଼ାର ଅମୂଲ୍ୟ ନାମକ ଜଣେ ଯୁବକ ଝିଅର ଆଗ୍ରହ ସମ୍ପର୍କରେ ଅବଗତ ହୋଇ ଯାଜପୁରରେ ପଢ଼ିବାକୁ ପ୍ରବର୍ତ୍ତାଇ ଥିଲେ। ସେବତୀ ମଧ୍ୟ ଝିଅର ପଢ଼ିବାର ଇଚ୍ଛାକୁ ଦେଖି ମନା କରିପାରି ନଥିଲେ। ୨ ବର୍ଷ ଯାଜପୁର ସହରସ୍ଥିତ ହନୁମାନ ଛକ ଗୀତା କଲେଜରେ ଝିଅ ପଢ଼ିଲା। ସବୁ ଠିକଠାକ୍ ଚାଲିଥିବା ବେଳେ ଘରକୁ ଆସିଥିବା ଝିଅ ୩ ମାସ ତଳେ ପରୀକ୍ଷା ଦେବାକୁ ଯାଉଛି କହି ଯାଜପୁର ଯାଇଥିଲା ଯେ, ଆଉ ଫେରିଲା ନାହିଁ। ପରିବାର ଲୋକେ କଲେଜ ସହ ଯୋଗାଯୋଗ କରିବା ପରେ ସେ ପରୀକ୍ଷା ଦେବାକୁ ଯାଇ ନଥିବା ଜଣାପଡ଼ିଥିଲା।

ଏହା ପରେ ପରିବାର ଚିନ୍ତାରେ ଥିବା ବେଳେ କୌଣସି ଏକ ସୂତ୍ରରୁ ଜାଣିବାକୁ ପାଇଲେ ଯେ, ଝିଅକୁ ଯାଜପୁର ଟାଉନର ବାପି ଜେନା ନାମକ ଏକ ଯୁବକ କଲେଜ ଯିବା ବାଟରୁ ଅପହରଣ କରି ନେଇ ରଖିଛି। ଏହା ମଧ୍ୟରେ ଝିଅ ମା’ ସେବତୀଙ୍କୁ ଥରେ ଦି’ଥର କଲ୍ କରି ତାକୁ ସେଠାରୁ ଶୀଘ୍ର ନେଇ ଯିବାକୁ କହିଥିଲା। ଏପରିକି ତାକୁ ନଜରବନ୍ଦୀ କରି ରଖାଯାଇଥିବା ସେ ଜଣାଇବା ପରେ ବ୍ୟତିବ୍ୟସ୍ତ ସେବତୀ ୨ ମାସ ତଳେ କିଞ୍ଜିରକେଲା ଥାନାରେ ଝିଅର ଅପହରଣ ନେଇ ଅଭିଯୋଗ କରି ତୁରନ୍ତ ଉଦ୍ଧାର ପାଇଁ ନିବେଦନ କରିଥିଲେ। କିନ୍ତୁ ପୁଲିସ ଅଭିଯୋଗକୁ ଗୁରୁତ୍ବ ନଦେଇ ଚୁପ୍ ବସି ଯାଇଥିଲା। ସେପଟେ ଅପହର୍ତ୍ତା ବାପି ଝିଅ ପରିବାର ଲୋକଙ୍କ ସହ କଥା ହେଉଛି ବୋଲି ଜାଣିବା ପରେ ସେବତୀଙ୍କୁ କଲ୍ କରି ଝିଅକୁ ଜୀବନରେ ମାରିଦେବାର ଧମକ ଦେଇଥିଲା। ଏହା ପରେ ଅଧିକ ଭୟଭୀତ ହୋଇ ପଡ଼ିଥିଲେ ସେବତୀ ଓ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। କିନ୍ତୁ ଏଠାରେ ବି ତାଙ୍କ ଅଭିଯୋଗପତ୍ର ସେମିତି ପଡ଼ି ରହିଲା। ଶେଷକୁ ଆଜି ସମାଜସେବୀ ଦିଲୀପ ପଣ୍ଡାଙ୍କ ସହ ଆସି ବୃଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ପୁଣି ଥରେ ଗୁହାରି କରିଛନ୍ତି। ତେବେ ଆଗକୁ ପୁଲିସ ଝିଅକୁ ଉଦ୍ଧାର କରିବ ନା ପୂର୍ବ ପରି ହାତ ବାନ୍ଧି ବସି ରହିବ, ତାକୁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର