ଶୀତଦାଉରୁ ବର୍ତ୍ତି ଯାଇଥିଲେ, ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଅଂଶୁଘାତରେ ବୃଦ୍ଧାଙ୍କ ମୃତ୍ୟୁ

ରାଇରଙ୍ଗପୁର: ଶୀତଦାଉରୁ ବର୍ତ୍ତି ଯାଇଥିଲେ। କିନ୍ତୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସାଲ କାରୁଆ। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକାର ଦାଣ୍ଡବୋଷ ଗ୍ରାମର ବାସହୀନ ବୃଦ୍ଧ ହରିଚରଣ କାରୁଆ (୭୦) ଓ ତାଙ୍କ ସ୍ତ୍ରୀ ସାଲ କାରୁଆ(୬୫) ବିଭିନ୍ନ ଇଟାଭାଟାରେ କାର୍ଯ୍ୟ କରି ପେଟ ପୋଷୁଥିଲେ। ତେବେ ଉଭୟ ବୃଦ୍ଧ ଦମ୍ପତି ହୋଇ ଯାଇଥିବାରୁ ଆଉ କାମ କରି ପାରିଲେ ନାହିଁ ଏବଂ ଉଭୟ ମନସ୍ଥ କରିଥିଲେ ରାଇରଙ୍ଗପୁର ସହରକୁ ଯାଇ ମାଗି ପେଟ ପୋଷି ଚଳିବେ। ଏଣୁ ବର୍ଷେ ପୂର୍ବରୁ ରାଇରଙ୍ଗପୁର ଆସି ଲୋକଙ୍କ ଠାରୁ ମାଗି ଖାଇ ବିଭିନ୍ନ ଦୋକାନ ବାରଣ୍ଡା କିମ୍ବା କାହା ଘର ପିଣ୍ଡାରେ ରାତ୍ରୀଯାପନ କରୁଥିଲେ। ତେବେ ଲୋକମାନେ ତାଙ୍କୁ ଘର ବାରଣ୍ଡାରୁ ତଡି ଦେଉଥିଲେ। ଏଣୁ ସେମାନେ ବାଧ୍ୟ ହୋଇ ଦୂର୍ଗାମଣ୍ଡପ ନିକଟସ୍ଥ ଡିଏଫଓ ଅଫିସ ପାଚେରୀ କଡରେ ଛିଣ୍ଡା ପଲିଥିନ ଟାଣି ଦୁଇ ପ୍ରାଣୀ ରହୁଥିଲେ। ତେବେ ଦୀର୍ଘଦିନ ସେଠାରେ ରହିବା ପରେ କିଛି ବଦାନ୍ୟ ବ୍ୟକ୍ତି ଭାତ ହାଣ୍ଡି, କରେଇ ସମେତ ବିଭିନ୍ନ ଆସବାବ ପତ୍ର ଓ କମ୍ବଳ ପ୍ରଦାନ କରିଥିଲେ।

ତେବେ ଦୁଇପ୍ରାଣୀ ପାଇଁ ଗୋଟିଏ କମ୍ବଳ ହାଡଭଙ୍ଗା ଶୀତରେ ବହୁ କଷ୍ଟରେ ଜୀବନଯାପନ କରୁଥିଲେ। ଯଦି କେହି ବଦାନ୍ୟ ବ୍ୟକ୍ତି କିଛିଦାନ କରନ୍ତି ତାହେଲେ ଖାଇପିଇ ଶୀତ କାକରରେ ଶୁଅନ୍ତି ନଚେତ୍ ପେଟରେ ଓଦା କନା ଦେଇ ଶୋଇଥାନ୍ତି। ଏହାବ୍ୟତିତ ବର୍ଷା ପବନ ହେଲେ ଉପରବାଲା ଉପରେ ଭରଷା କରି ସେଠାରେ ରହିଥାନ୍ତି। ତାଙ୍କୁ ନା ମିଳୁଥିଲା ୧ ଟଙ୍କା କିଲୋ ଚାଉଳ ନା ବାଦ୍ଧର୍କ ଭତ୍ତା। ତେବେ ବର୍ତ୍ତମାନ ସମୟରେ ଅତି ଜରୁରୀ ଥିବା ଆଧାର କାର୍ଡ ମଧ୍ୟ ତାଙ୍କ ପାଖରେ ନଥିବାରୁ ଦୁଖର ସହିତ ପ୍ରକାଶ କରିଥିଲେ। ତେବେ ବୃଦ୍ଧା ସାଲ ଶୀତଦାଉରୁ ସିନା କଷ୍ଟେମଷ୍ଟେ ବର୍ତ୍ତି ଯାଇଥିଲେ। ଚଳିତ ବର୍ଷର ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ପ୍ରାଣ ହରାଇଛନ୍ତି।

‘କାକରରେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି; ‘ଆଶ୍ରୟ’ ସ୍ଥଳୀ କାହା ପାଇଁ ’ ଶିର୍ଷକରେ ଗତ ଜାନୁଆରି ୧୦ରେ ଦୈନିକ ‘ସମ୍ବାଦ’ ଖବରକାଗଜରେ ଏକ ଖବର ପ୍ରକାଶିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ମାଳମାଳ ଯୋଜନା କରୁଛନ୍ତି। ହେଲେ ପ୍ରଶାସନ ଉଦାସୀନତା ପାଇଁ ସଠିକ୍ ହିତାଧିକାରୀ ତାହା ପହଞ୍ଚୁ ନାହିଁ। ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି ଅନାହାରରେ କାହାରିକୁ ମରିବାକୁ ଦିଆଯିବ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହି ନିର୍ଦ୍ଦେଶକୁ ପାଳନ କରୁଛି।

Sambad

ଟାଉନ ଥାନା ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କ ସମ୍ପକୀୟ ମାନେ ଆସିବା ପରେ ଶବକୁ ବ୍ୟବଚ୍ଛେଦ କରାଯିବା ପୌରପରିଷଦ ପକ୍ଷରୁ ଶବ ସତ୍କାର କରାଯାଇଛି। ତେବେ ଗତ ୩୧ ଅଗଷ୍ଟ ୨୦୨୨ ସ୍ୱାୟତ୍ତ ଶାସନ ଦିବସରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଗସ୍ତରେ ଆସି ଅସହାୟ ଓ ବାସହୀନଙ୍କ ନିମନ୍ତେ ଆଶ୍ରୁସ୍ଥଳୀ (ଆଶ୍ରୟ) ଉଦଘାଟନ କରିଥିଲେ। ଉଦଘାଟନକୁ ୧୦ ମାସ ବିତିଲାଣି ଆଶ୍ରୟ ଗୃହକୁ ସେଥିରେ ତାଲା ଝୁଲୁଛି। ତେବେ ବର୍ତ୍ତମାନ ସୁଦ୍ଧା ସେଥିରେ ରହିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଠିକାଦାରଙ୍କ ଅବହେଳା ଓ କାର୍ଯ୍ୟରେ ବିଳମ୍ବ ଯୋଗୁଁ କାର୍ଯ୍ୟକ୍ଷମ ହୋଇନଥିବା ସୂଚନା ମିଳିଛି। ଫଳରେ ଅଞ୍ଚଳର ବହୁ ଅସହାୟ ଦମ୍ପତି ରାସ୍ତାକଡରେ, ଦୋକାନ ଚାଳିଆ ତଳେ, ବିଭିନ୍ନ ଗଛମୂଳେ ଖରା, ବର୍ଷା ଓ ଶୀତକାକରରେ ରାତିଯାପନ କରୁଥିବା ଦେଖିବାକୁ ମିଳିଛି। ତେବେ ଏନେଇ କିଛି ମାସ ପୂର୍ବରୁ ‘ସମ୍ବାଦ’ରେ ଖବର ପ୍ରକାଶ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଖୁଣ୍ୟ ପୋତାଗଲା ଏବଂ ପାଣି ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଯଥାଶୀଘ୍ର ଉଦଘାଟନ ହୋଇଥିବା ଉକ୍ତ ଆଶ୍ରୟ ଗୃହ କାର୍ଯ୍ୟକ୍ଷମ କରାଗଲେ ବହୁ ଅସହାୟ ଦମ୍ପତି ସେଥିରେ ଉପକୃତ ହେବେ।

 

ସମ୍ବନ୍ଧିତ ଖବର