ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ 

ହତ୍ୟା ସନ୍ଦେହରେ ୨ ଜଣକୁ ଖୋଜୁଛି ପୁଲିସ

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଇକ୍ଷ୍ମୀପଣ୍ଡା ଛକ ସ୍ଥିତ ଏକ ଚା’ ଦୋକାନଠାରେ ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ସଉରାସାହି ଅଞ୍ଚଳର କେ. ଜଗଦିଶ୍ବର ରାଓ। ଖବର ପାଇ ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣାର ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପୁଲିସ ଶବ ଶତ୍କାର କରିଥିବା ନେଇ ଜୟପୁର ଏସ୍‌ଡିପିଓ ଅରୂପ ଅଭିଶେଖ ବେହେରା କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଲକ୍ଷ୍ମୀପଣ୍ଡା ଛକ ନିକଟରେ ଚା’ ଦୋକାନ ରହିଛି। ମୃତକ ଜଗଦିଶ୍ବର ନିଜ ଘର ସଉରା ସାହିରେ ରହୁନଥିବା ବେଳେ ଦିନ ସାରା ବୁଲାବୁଲି କରି ସନ୍ଧ୍ୟାରେ ଚା’ ଦୋକାନକୁ ଯାଇଥାନ୍ତି। ଚା’ ଦୋକାନ କଡରେ ଜଗଦିଶ୍ବର ରାତି ଆଶ୍ରୟ ନେଇଥାନ୍ତି। ସକାଳ ହେଲେ ସେଠାରୁ ବାହାରିଯାଇ, ବୁଲାବୁଲି କରେ ଯିଏ ଯାହା ଦିଏ ଖାଇ ଚଳିଯାଇ ଓ ପାଞ୍ଜି ଦେଖୁଥାଏ ବୋଲି କହିଛନ୍ତି।

ଗତକାଲି ସନ୍ଧ୍ୟାରେ ଜଗଦିଶ୍ବର ଚା’ ଦୋକାନକୁ ଆସିଥିଲେ, ଦୋକାନୀ ରାତିରେ ଦୋକାନ ବନ୍ଦ କରି ଯାଇଥିଲେ । ସକାଳୁ ଦୋକାନୀ ଆସି ଦେଖିବା ବେଳକୁ ଜଗଦିଶ୍ବରଙ୍କ ମୁହଁରେ ରକ୍ତାକ୍ତ ହୋଇପଡିଥିବାର ଦେଖିଥିଲେ। ୨୬ ନମ୍ବର ଜାତୀୟ ରାଜପଥ କଡରେ ଘଟଣା ଘଟିଥିବାରୁ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଖବର ପାଇ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଓ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ମୃତକଙ୍କ ବ୍ୟାଗକୁ ଯାଞ୍ଚ କରିବା ପରେ କାଗଜପତ୍ରରୁ ତାଙ୍କର ପରିଚୟ ମିଳିଥିଲା। ଏହାପରେ ଘଟଣାସ୍ଥଳରେ କୋରାପୁଟ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ପହଞ୍ଚିଥିଲେ।

ସେଠାରେ ରକ୍ତଭିଜା କେତୋଟି ଇଟା ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଇଟା ଦ୍ବାରା ଛେଚି ଜଗଦିଶ୍ବରକୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି ବୋଲି ଏସଡିପିଓ କହିଛନ୍ତି। ଚା’ ଦୋକାନୀଙ୍କ ଅଭିଯୋଗ କ୍ରମରେ ଟାଉନଥାନାରେ ୧୮୧/୨୧ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତଦେହକୁ ତାଙ୍କର ପରିବାରବର୍ଗ ନ ନେବାରୁ ପୁଲିସ ଶବ ଶତ୍କାର କରିଥିବା ଜଣାପଡିଛି। ସେହି ଦୋକାନରେ ଜଗଦିଶ୍ବରଙ୍କ ସହ ସ୍ଥାନୀୟ ୨ରୁ ୩ ଜଣ ଯୁବକ କେଉଁ କେଉଁ ଦିନ ଶୋଉଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି। ଏହି ମାମଲାରେ ପୁଲିସ ୨ ଜଣକୁ ସନ୍ଦେହ କରି ଖୋଜୁଥିବା ଜଣପଡିଛି।

ସମ୍ବନ୍ଧିତ ଖବର