କଟୁରି ଚୋଟରେ ବୃଦ୍ଧଙ୍କ ମୃତ୍ୟୁ

ସାରସକଣା: ଝାରପୋଖରିଆ ଥାନା ଉମାଦେଇପୁର ପଞ୍ଚାୟତର ନେଦାଭାଡ଼ି ଗ୍ରାମରେ ସମ୍ପର୍କୀୟ ପୁତୁରାର କଟୁରି ଚୋଟରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ଅନିଲ କୁମାର ମହାନ୍ତ (୬୫)। ସେ ଆଜି ସକାଳେ ନଳକୂଅରୁ ପାଣି ଆଣିବା ବେଳେ ସେହି ଗ୍ରାମର ତାଙ୍କ ସମ୍ପର୍କୀୟ ପୁତୁରା ରାଜେଶ ମହାନ୍ତ ଏକ କଟୁରିରେ ତାଙ୍କ ବେକ, ପିଠି ଓ ହାତକୁ ଏକାଧିକ ଚୋଟ ପକାଇଥିଲେ। ଅନିଲ ପ୍ରତିବାଦ କରିବାକୁ ବି ସମୟ ପାଇନଥିଲେ ଓ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଶୀର୍ଷା ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବାରିପଦା ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ଫଣୀନ୍ଦ୍ର ଭୂଷଣ ନାଏକ ପୁଲିସ ଟିମ୍‌ ସହିତ ପହଞ୍ଚି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସେ ପୁଲିସକୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ କରିଥିଲା। ତେବେ କୌଶଳକ୍ରମେ ତାକୁ ଏକ ବିଲ ମଝିରେ କାବୁ କରି ନେଇଥିଲା ପୁଲିସ। ଏ ନେଇ ୭୧/୨୩ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ରାଜେଶ କଣ ପାଇଁ ଏହି ନରକୀୟ କାଣ୍ଡ ଘଟାଇଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର