କୋରାପୁଟ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ କୋରାପୁଟ ଜିଲ୍ଲାରେ କାର୍ଯ୍ୟ କରୁଛି ଓଡ଼ିଶା ଜୀବିକା ମିଶନ। ଯେଉଁ ଲକ୍ଷ୍ୟ ନେଇ ଏହା କାର୍ଯ୍ୟ କରିବାକୁ ମନ ନିବେଶ କରାଯାଇଥିଲା ସେଥିରେ ଦେଖାଦେଇଛି ଗୁରୁତର ତ୍ରୁଟି। ଏବେ ଏହି ସଂସ୍ଥାରେ କାମ କରିବାକୁ ତୃଣମୂଳ ସ୍ତରରେ କର୍ମଚାରୀ ନ ଥିବାବେଳେ କିପରି ଜିଲ୍ଲାର ବିବାଦିୟ କୋଟିଆ ଗ୍ରାମପୁଞ୍ଜରେ ଜୀବିକା ମିଶନ କାର୍ଯ୍ୟକାରୀ ହେଉଛି ତାହାକୁ ନାନା ପ୍ରଶ୍ନ ଉଠିଛି। କୋରାପୁଟ ଜିଲ୍ଲାର ପ୍ରତି ବ୍ଲକରେ ୫ଜଣ ଲେଖାଏଁ ବ୍ଲକ ଜୀବିକା ମିଶନ ସଂଯୋଜକ ରହି କାର୍ଯ୍ୟ କରିବାକୁ ନୟମ ରହିଥିବାବେଳେ ମାତ୍ର ଜଣେ ଅଧେ ରହି କାର୍ଯ୍ୟ କରୁଛନ୍ତି। ଜିଲ୍ଲାର ୧୪ଟି ବ୍ଲକରେ ୭୦ଜଣ ବ୍ଲକ ଜୀବିକା ମିଶନ ସଂଯୋଜକ ପଦବୀ ରହିଛି। ଏବେ ମାତ୍ର ହାତଗଣତି ଭାବେ ୨୦ଜଣ ରହିଛନ୍ତି। ୨୦୦୬ରେ ସ୍ଥାପିତ ହୋଇଥିବା ଏହି ମିଶନକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହିଠାରେ କର୍ମଚାରୀ ନିଯୁକ୍ତ ଦେଇଥିଲେ।
କିନ୍ତୁ ଏହିଠାରୁ ବଦଳି ହୋଇ କର୍ମଚାରୀ ଅନ୍ୟ ଜିଲ୍ଲାକୁ ଯାଇଛନ୍ତି ଫେରିବା ନାଁ ଧରୁ ନାହାନ୍ତି। ସବୁଠାରୁ ଗୁରୁତର ବିଷୟ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ରହିଛନ୍ତି ଜଣେ ମାତ୍ର କର୍ମଚାରୀ। ଜିଲ୍ଲା ପ୍ରଶାସନ କୋଟିଆ ଗ୍ରାମପୁଞ୍ଜର ବିକାଶ କରିବାକୁ ଚେଷ୍ଠା କରୁଥିବାବେଳେ ମାତ୍ର ଜଣେ ଜୀବିକା ମିଶନ ସଂଯୋଜକ ଏହିଠାରେ ରହିଛନ୍ତି। ପଟାଙ୍ଗୀ ପରି ବଡ ବ୍ଲକରେ ମାତ୍ର ଜଣେ କର୍ମଚାରୀ ସେ ବି ଭିଏଲଡବ୍ଲୁ ଭାବେ ନିୟୋଜିତ ରହିବା ସରକାରଙ୍କ ବହୁମୁଖୀ ଯୋଜନା ପ୍ରତି ପ୍ରଶ୍ନ ଉଠିଛି। ତେବେ କୋଟିଆରେ ଦାରିଦ୍ର୍ୟ ଦୂରିକରଣ ଓ ଜୀବିକା ମିଶନକୁ କାର୍ଯ୍ୟକରାଯାଉଛି। ତେବେ ଯେଉଁଠି ୫ ଜଣ ସଂଯୋଜକରହିବା କଥା ସେଠାରେ କିପରି ଜଣେ ସଂଯୋଜକ ନେଇ କାର୍ଯ୍ୟ କରାଯାଉଛି ତାହା ସାଧାରଣରେ ନାନା ପ୍ରଶ୍ନ ଉଠିଛି। କୋଟିଆ ଗ୍ରାମପୁଞ୍ଜରେ ପ୍ରାୟ ୨୮ରୁ ଅଧିକ ଗାଁ ରହିଛି। ଏହି ଗାଁ ଗୁଡିକରେ ପ୍ରାୟ ୧୨ରୁ ୧୩ ହଜାର ଅଧିବାସୀ ରହୁଛନ୍ତି। ଓଡ଼ିଶାଜୀବିକା ମିଶନ ପକ୍ଷରୁ ୨୦ରୁ ଅଧିକ ଯୋଜନା ଏହିଠାରେ କାର୍ଯ୍ୟ କରୁଛି।
ସରକାର ଯୋଜନା ଅନୁସାରେ ଏସଏସଜି ମହିଳାଙ୍କୁ ଋଣ, ବିଭିନ୍ନ ପ୍ରକାର ଚାଷ ଇତ୍ୟାଦି ରହିଛି। ତେବେ ଜୀବନ ଧାରଣ ମାନ ବୃଦ୍ଧି କରିବାକୁ ଏହିଠାରେ ମାନସମ୍ଭଳ ନାହିଁ। ଗୋଟିଏ କର୍ମଚାରୀ ହାତରେ ଚାଲିଛି ବ୍ଲକର ଯାକର କାର୍ଯ୍ୟ। ତେବେ ଏପରିସ୍ଥଳରେ ଏହା କିପରି କାର୍ଯ୍ୟ ହେଉଥିବା ତାହା ସହଜରେ ଅନୁମେୟ। ମିଳିଥିବା ସୂଚନା ମୁତାବକ ଜିଲ୍ଲାରେ କୋରାପୁଟ ବ୍ଲକରରେ ୨ଜଣ, କୋଟପାଡ ବ୍ଲକରେ ୩ ଜଣ, ବୋରିଗୁମ୍ମା, ଲମତାପୁଟ, ବୈପାରିଗୁଡାରେ ୨ ଜଣ ଲେଖାଏଁ, ପଟାଙ୍ଗୀ ଓ ସେମିଳିଗୁଡାରେ ଜଣେ ଲେଖାଏଁ, ଜୟପୁର, ଦଶମନ୍ତପୁର ଓ ଲକ୍ଷ୍ମୀପୁରରେ ଜଣେ ଲେଖାଏଁ ବ୍ଲକ ଜୀବିକା ମିଶନ ସଂଯୋଜକ ରହିଛନ୍ତି। ୨୦୦୬ରେ ରାଜ୍ୟ ସରକାର ଓଡ଼ିଶା ଦାରିଦ୍ୟ ଦୂରୀକରଣ ମିଶନ ଭାବେ ଏହାକୁ ଆରମ୍ଭ କରାଯାଇଥିଲା। ଏହାକୁ ପରବର୍ତ୍ତୀ ସମୟରେ ଓଡ଼ିଶା ଜୀବିକା ମିଶନ ଭାବେ ନାମ କରଣ କରାଯାଇ ତ୍ରୁଣମୂଳସ୍ତରରେ ଗ୍ରାମାଞ୍ଚଳରେ ରହୁଥିବା ମହିଳାଙ୍କର ବିକାଶ କିପରି ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବ୍ୟୟବରାଦ କରୁଥିବାବେଳେ ଜଣେ ଅଧେ କର୍ମଚାରୀ କିପରି ଏହା କାର୍ଯ୍ୟ କରୁଥିବ ତାହା ସହଜେ ଅନୁମେୟ। ଏନେଇ ଓଏଲଏମର ଡିପିଏମ ସୁସ୍ମିତା ସାମନ୍ତରାୟ ଜିଲ୍ଲାରେ ପ୍ରତି ବ୍ଲକରେ ୫ ଜଣ ଲେଖାଏଁ ବ୍ଲକ ଜୀବିକା ମିଶନ ସଂଯୋଜକ ପଦବୀ ୨୦୦୬ରୁ ରହିଛି। ହେଲେ ଏବେ ଯାଏ ଜିଲ୍ଲାରେ ମାତ୍ର ୨୦ଜଣ କର୍ମଚାରୀ କାମ କରୁଛନ୍ତି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/download.png)