ପୁଣି ଓଏମ୍‌ସି-ନରଣଗଡ଼ ଗ୍ରାମବାସୀଙ୍କ ବିବାଦ ଘନେଇଲା, ରାସ୍ତା ଖୋଳି ପ୍ରତିବାଦ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ନରଣଗଡ଼ ଠାରେ ପ୍ରଭୁ ଲିଙ୍ଗରାଜ ଓ ବଡ଼ଦେଉଳର ମରାମତି ପାଇଁ ନରଣଗଡ଼ରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ଦିଆଯାଇଥିବା ଖଣିକୁ ନେଇ ସ୍ଥାନୀୟ ଭିଟାମାଟି ସଂଗ୍ରାମ ସମିତି ବିରୋଧ କରିଛନ୍ତି । ଓଏମ୍‌ସିର ପଥର ଖଣିକୁ ଯାଇଥିବା ରାସ୍ତାଗୁଡ଼ିକୁ ଖୋଳି ପ୍ରତିବାଦ କରିଛନ୍ତି ।

ସୂଚନାନୁସାରେ, ଆଜି ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତିର ସଦସ୍ୟମାନେ ଓଏମ୍‌ସି ଅଧୀନ କୁଣ୍ଡାକୁଣ୍ଡି ପଥର ଖଣିକୁ ସଂଯୋଗ କରିଥିବା ରାସ୍ତାଗୁଡ଼ିକୁ ଖୋଳି ଦେଇଥିଲେ । ଫଳରେ ଓଏମ୍‌ସିର ଖନନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହା ପରେ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ସ୍ଥାନୀୟ ପଂଚାୟତିରାଜ ପ୍ରତିନିଧିଙ୍କୁ ଡକାଇ ଆଲୋଚନା କରିଥିଲେ । ଏନେଇ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ କହିଛନ୍ତି ଯେ ବିରୋଧ କରି ଖୋଳି ଥିଲେ ତେବେ ଆଲୋଚନା ପରେ ସମାଧାନ ହୋଇଛି । ଜୁନ ୯ ତାରିଖ (ବୁଧବାର) ଠାରୁ କାମ ସ୍ୱାଭାବିକ ଭାବେ ଚାଲିବ ।
ଏନେଇ ସ୍ଥାନୀୟ ସରପଂଚଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଆଜିର ବୈଠକକୁ ଭିଟାମାଟି ସଂଗ୍ରାମ ସମିତିର କୌଣସି ସଦସ୍ୟ ଆସିନଥିଲେ । ତେବେ ବୈଠକରେ ପରବର୍ତୀ ଆଲୋଚନା ୧୧ ତାରିଖରେ କରିବାକୁ ନିଷ୍ପତ୍‌ତି ହୋଇଛି ।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ତରଫ ଶ୍ରୀମନ୍ଦିର ପରିଚାଳକ ଖେୱାଟ୍ ନମ୍ବର ଏଖରାଜତମାହାଲରେ ୧୫୨ଖଣ୍ଡ ଗାଁ ଥିଲା । ୧୯୬୨ରେ ଏହା ମଧ୍ୟରୁ ୧୨୦ଟି ଗ୍ରାମର ରେକର୍ଡ ସଂଶୋଧନ ହୋଇ ରାଜ୍ୟ ସରକାରଙ୍କ ମାର୍ଫତ ପରିବର୍ତିତ ହୋଇଥିଲା । ବର୍ତମାନ ୩୨ଟି ରାଜସ୍ୱ ଗ୍ରାମରେ ଜଗନ୍ନାଥଙ୍କ ମାର୍ଫତରେ ଥିବା ଜମିର ପଟ୍ଟାର ମାର୍ଫତଦାର ପରିବର୍ତନ ହୋଇନାହିଁ । ଫଳରେ ଶ୍ରୀଜଗନ୍ନାଥଙ୍କ ଭୋଗ ଜମି ଦଖଲ କରିଥିବା ଲୋକଙ୍କ ଜମିପଟ୍ଟା ଏଯାଏଁ ରାଜ୍ୟ ସରକାରଙ୍କ ଅଧୀନକୁ ଆସିନାହିଁ । ପଟ୍ଟାରେ ଶ୍ରୀଜଗନ୍ନାଥ ଜମିଦାର ଥିବାରୁ ସେମାନେ ଋଣ, ବିକାକିଣା ଆଦିରେ ଅନେକ ସମସ୍ୟା ସୃ୍‌ଷ୍ଟି ହେଉଛି ।

ପ୍ରାୟ ୧ ବର୍ଷ ପୂର୍ବେ ନରଣଗଡ଼ର କୁଣ୍ଡିକୁଣ୍ଡା ପାହାଡ଼ରୁ ନିର୍ମାଣ ପଥର ଖନନ ପାଇଁ ଓଏମ୍‌ସିକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ । ଏହା ପରେ ସ୍ଥାନୀୟ ଲୋକ ପ୍ରତିବାଦ କରିବା ଆରମ୍ଭ କରିଥିଲେ । ଭିଟାମାଟି ସଂଗ୍ରାମ ସମିତି ନାମରେ ଏକ କମିଟି ଗଢ଼ିଥିଲେ । ସେମାନଙ୍କ ଦାବି ଥିଲା ଯେ ଏନେଇ ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତି ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ, ବିକ୍ଷୋଭ ଆଦି ପ୍ରଦର୍ଶନ କରାଯାଉଛି । କିନ୍ତୁ ସରକାର ସେମାନଙ୍କ ଦାବି ଶୁଣୁନାହାନ୍ତି । ବର୍ତମାନ ଓଏମ୍‌ସିର ଖନନକୁ ବିରୋଧ ନୁହେଁ ବରଂ ବିରୋଧ ଦ୍ୱାରା ସେମାନଙ୍କ ପଟ୍ଟାକୁ ରାଜ୍ୟ ସରକାରଙ୍କ ମାର୍ଫତକୁ ପରବର୍ତନରେ ବିଳମ୍ବ ହେଉଥିବାରୁ ଏହାକୁ ବିରୋଧ କରାଯାଇଛି ।

ସମ୍ବନ୍ଧିତ ଖବର