ସମ୍ବଲପୁର: ଓମ୍‌ଫେଡ୍ ଅଧୀନ ସମ୍ବଲପୁର ଡାଏରିରେ ଏକ ବଡ଼ ଧରଣର ଅନିୟମିତତା ସାମ୍‌ନାକୁ ଆସିଛି। ଦୁଇ ମାସ ମଧ୍ୟରେ ୬୬୬୦ କିଲୋଗ୍ରାମ ଦୁଗ୍ଧ ବାବଦ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ହରିଲୁଟ୍ କରାଯାଇଛି। ଦୁଗ୍ଧ ଚାଷୀଙ୍କଠାରୁ ଅଭିଯୋଗ ମିଳିବା ପରେ ଓମ୍‌ଫେ୍ଡ଼ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ସମଲେଶ୍ବରୀ ଦୁଗ୍‌ଧ ଉତ୍ପାଦକ ସଂଘ(ସାମୁଲ) ଅଧୀନରେ ଥିବା ବିଭିନ୍ନ ଦୁଗ୍‌ଧ ଉତ୍ପାଦକ ସମବାୟ ସମିତି ଜରିଆରେ ଦୁଗ୍‌ଧ ସଂଗ୍ରହ ହୋଇ ଓମ୍‌ଫେଡ୍‌କୁ ଯୋଗାଇ ଦିଆଯାଇଥାଏ। ସମବାୟ ସମିତି ସଦସ୍ୟଙ୍କଠାରୁ ସଂଗୃହୀତ ଦୁଗ୍ଧ ନିକଟସ୍ଥ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମାଧ୍ୟମରେ ଗୋଶାଲା ନିକଟ ସମ୍ବଲପୁର ଡାଏରିକୁ ଆସିଥାଏ। ସାମୁଲ ଅଧୀନସ୍ଥ ବରପାଲି ଦୁଗ୍‌ଧ ଶୀତଳୀକରଣ କେନ୍ଦ୍ର(ବିଏମ୍‌ସି)ରୁ ଗତ ଅଗଷ୍ଟ ଓ ସେପ୍‌ଟେମ୍ବର ମାସରେ ସମ୍ବଲପୁର ଡାଏରିକୁ ଆସିଥିବା ଏକ ନିର୍ଦ୍ଦିଷ୍ଟ ଟ୍ୟାଙ୍କର ଜରିଆରେ ଦୁଗ୍‌ଧ ହେରଫେର ଅଭିଯୋଗ‌ ଆସିଛି। ଦୁଗ୍ଧ ବୋଝେଇ ଟ୍ୟାଙ୍କର ସମ୍ବଲପୁର ଡାଏରିକୁ ଆସିବା ପରେ ମାପଯନ୍ତ୍ରରେ ଓଜନ ହୋଇଥାଏ।

Advertisment

ଦୁଗ୍ଧ ଖାଲି ‌ହେବା ପରେ ପୁଣି ଥରେ ଟ୍ୟାଙ୍କର ଓଜନ କରାଯାଇ ଟ୍ୟାଙ୍କର ଓ ଦୁଗ୍ଧର ‌ବାସ୍ତବ ଓଜନ ଧାର୍ଯ୍ୟ କରାଯାଇଥାଏ। ତେବେ, ବରପାଲି ବିଏମ୍‌ସିରୁ ଆସିଥିବା ଟ୍ୟାଙ୍କର(ଓଆର୍‌୧୫ସି-୪୨୯୩)ର ଓଜନ ସମୟରେ ହେରଫେର୍ କରାଯାଇଥିବା ଅଭି‌ଯୋଗ ହୋଇଛି। ଟ୍ୟାଙ୍କରର ପ୍ରକୃତ ଓଜନ ଠାରୁ ପ୍ରାୟ ୫୦୦ରୁ ୭୦୦ କିଗ୍ରା ପର୍ଯ୍ୟନ୍ତ କମ୍‌ ଦର୍ଶାଯାଇ ଅପରପକ୍ଷରେ ଦୁଗ୍ଧର ଓଜନ ବଢ଼ାଇ ଦିଆଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଅଗଷ୍ଟ ମାସ ୧୬ ତାରିଖରେ ୮୦୦ କିଲୋଗ୍ରାମ, ୨୦ ତାରିଖରେ ୩୦ , ୨୧ ତାରିଖରେ ୨୦୦ , ୨୨ ତାରିଖରେ ୫୫୦ , ୨୫ ତାରିଖରେ ୪୭୦ , ୨୭ ତାରିଖରେ ୧୭୦ , ୨୯ ଓ ୩୦ ତାରିଖରେ ୬୩୦ କିଲୋଗ୍ରାମ ଲେଖାଏଁ ବାସ୍ତବତା ଠାରୁ ଅଧିକ ଦୁଗ୍ଧ ଥିବା ଦର୍ଶାଯାଇଛି। ସେହିପରି ସେପ୍‌ଟେମ୍ବର ମାସ ୧ ତାରିଖରେ ୭୧୦ କିଲୋଗ୍ରାମ, ୩ ତାରିଖରେ ୫୫୦ , ୫ ତାରିଖରେ ୫୯୦ , ୬ ତାରିଖରେ ୭୦୦ ଓ ୧୧ ତାରିଖରେ ୬୩୦ କିଲୋଗ୍ରାମ ଅଧିକ ଦୁଗ୍ଧ ଦର୍ଶାଯାଇ ଟଙ୍କା ହଡ୍‌ପ କରାଯାଇଥିବା ମା ସମଲେଶ୍ବରୀ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଭାପତି ଶତ୍ରୁଘନ ସାହୁ, ଫଗନୁ ଦନ୍ତା, ବନମାଳୀ ପଣ୍ଡା, ଶଙ୍କର୍ଷଣ କର୍ଣ୍ଣଙ୍କ ସମେତ ବହୁ ଦୁଗ୍ଧ ଚାଷୀ ମିଳିତ ଭାବେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ବିଭାଗୀୟ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏପଟେ ଓମ୍‌ଫେ୍‌ର କର୍ମଚାରୀମାନେ ଡାଏରିର ଦୁଗ୍ଧ ସଂଗ୍ରହ ଓ ବିକ୍ରିର ହିସାବ ବରବାର ରଖିବା ପାଇଁ ବଜାରକୁ ନିମ୍ନମାନର ଦୁଗ୍ଧ ଯୋଗାଣ କରୁଛନ୍ତି। ଏହା ଦ୍ବାରା ଓମ୍‌ଫେଡ୍‌ ଦୁଗ୍ଧର ଚାହିଦା ବଜାରରେ ଦିନକୁ ଦିନ କମିବାରେ ଲାଗିଛି। ଏଥି ସହିତ ଓମ୍‌ଫେଡ୍‌ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ବିକ୍ରି ମଧ୍ୟ କମୁଛି। ଅପରପକ୍ଷରେ ଏହା ଦ୍ବାରା ଅନ୍ୟ ବିଏମ୍‌ସି ସହିତ ସଂପୃକ୍ତ ସମବାୟ ସମିତିର ସଦସ୍ୟାନେ ବି ପରୋକ୍ଷରେ କ୍ଷତିଗ୍ରସ୍ତ ହେଉଛନ୍ତି। ଓମ୍‌ଫେଡ୍‌ରେ ଏଭଳି ବ୍ୟାପକ ଅନିୟମିତତା ସହିତ ଟଙ୍କା ହରିଲୁଟ୍ କରାଯାଉଛି।

ଏଥିରେ ସଂଘର ସାଧାରଣ ପରିଚାଳକଙ୍କ ଡାଏରିର ଅନେକ ଅଧିକାରୀ ଓ କର୍ମଚାରୀ ସଂପୃକ୍ତ ରହିଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସମ୍ବଲପୁର ଡାଏରି ପ୍ଲାଣ୍ଟ ମ୍ୟାନେଜର ମୃତ୍ୟୁଂଜୟ କୁମାରଙ୍କୁ ପଚାରିବାରୁ ସେ କହିଲେ, ମୁଁ ଦୁଇଦିନ ତଳେ ଏଠାରେ ଯୋଗ ଦେଇଛି। ଅନୁସନ୍ଧାନ ପରେ ଏନେଇ କିଛି କହିପାରିବି। ଅପରପକ୍ଷରେ ସାମୁଲର ସାଧାରଣ ପରିଚାଳକ ସରୋଜ ସାହୁଙ୍କୁ ପଚାରିବାରୁ ଅଭିଯୋଗ ମିଳିବା ପରେ ଓମ୍‌ଫେଡ୍‌ ପକ୍ଷରୁ ତନାଘନା କରାଯାଉଛି। ତଦନ୍ତ ସରିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ସାହୁ କହିଛନ୍ତି।