ମିଶନ କୋଟିଆ ଦଖଲରେ ସାଲୁର ବିଧାୟକ, ୧୬ରେ ସରକାରୀ କୋଠାର ଭିତ୍ତିପ୍ରସ୍ତର ବହୁ କାର୍ଯ୍ୟକ୍ରମର ଆୟୋଜନ

କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ଦଖଲ କରିବାକୁ ପଣକରିଛନ୍ତି ସାଲୁର ବିଧାୟକ ରାଜାନ୍ନା ଦୋରା ପିଡ୍ଡିକା। ସ୍ବାଧୀନତା ଦିବସ ପରଦିନ ସେ ଫଗୁଣ ସେନେରୀ ଓ ଫାଟୁ ସେନେରୀରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛନ୍ତି। ଏହା ମଧ୍ୟରେ ରାସ୍ଥାକଡ ବୃକ୍ଷରୋପଣ, ଉଦ୍ୟାନକୃଷି ବୃକ୍ଷରୋପଣ, ପ୍ରାଥମିକ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ କମ୍ୟୁନିଟି କେନ୍ଦ୍ରର ଭିତ୍ତିପ୍ରସ୍ତର ପକାଇବେ ସାଲୁର ବିଧାୟକ।

ଏହି କାର୍ଯ୍ୟକ୍ରମରେ ପିଓ ଆଇଟିଡିଏ, ଉପଜିଲ୍ଲାପାଳ ଓ ଡିଏସପି ଉପସ୍ଥିତ ରହିବେ ବୋଲି ଜଣାପଡିଛି। ତେବେ ଅଗଷ୍ଟ ୧୫ ଦିନ କୋଟିଆର ୨୨ଟି ଗାଁରେ ତେଲଗୁ ଭାଷାରେ ଫଳକ ମାରିବାକୁ ଯୋଜନା କରିଥିବାବେଳେ ଏହି ଗାଁ ଗୁଡିକରେ କୋରାପୁଟ ଜିଲ୍ଳା ପ୍ରଶାସନ ପକ୍ଷରୁ ୭୫ ତମ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଯୋଜନା ହୋଇଛି। ୧୪ ତାରିଖ ରାତିରୁ ଜିଲ୍ଲାରୁ ପ୍ରତି ଗାଁ ପ୍ରତି ଦାୟିତ୍ବରେ ରହିଥିବା ସରକାରୀ କର୍ମଚାରୀ ସେଠାକୁ ଯାଇ ପତାକା ଉତ୍ତୋଳନ କରିବେ। ‘କୋଟିଆ’କୁ କବ୍‌ଜ୍ଜା କରିବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ଅର୍ଦ୍ଧଶତାବ୍ଦୀ ହେଲା ଲାଗି ରହିଛି ବିବାଦ। ଆଉ ବିବାଦରେ ସାଂଘାତିକ ଭାବେ ଫସି ଯାଇଛନ୍ତି କୋଟିଆ ଗ୍ରାମପୁଞ୍ଜର ୮ହଜାର ଲୋକ। ସେମାନେ ଓଡ଼ିଶାର ହୋଇପାରୁ ନାହାଁନ୍ତି କି ଆନ୍ଧ୍ରକୁ ନିଜର କରିପାରୁ ନାହାଁନ୍ତି। ଏପଟେ ଦୁଇ ରାଜ୍ୟ ଆଇନଗତ ଯୁଦ୍ଧରେ ଲାଗିଥିଲେ ମଧ୍ୟ କୋଟିଆକୁ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ବ ଦେଇ ଚାଲିଛନ୍ତି। ଡାକ୍ତରଖାନା, ଥାନା, ରାସ୍ଥାଘାଟ ଓ ହାଇଲେବୁଲ୍‌ ବ୍ରିଜ କରାଇଥିବାବେଳେ ହେଲିପ୍ୟାଡ କରାଇବାକୁ ଚଳାଇଛି ପ୍ରସ୍ତୁତି। ଗତ ମେ’ ୮ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇଥିଲା ଆନ୍ଧ୍ର। କିନ୍ତୁ ନିର୍ବାଚନକୁ ନେଇ ନୀତିନିୟମ ମାନି ନ ଥିବାରୁ ଆନ୍ଧ୍ର ହାଇକୋର୍ଟ ଭୋଟକୁ ନାକଚ କରିଥିଲେ। ଓଡ଼ିଶାର ଦାବି ଅନୁସାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ରହିଛି ଏହି ଗ୍ରାମ ପୁଞ୍ଜ। କିନ୍ତୁ ପଡୋଶୀ ଆନ୍ଧ୍ରର ଦାବି ଅଲଗା।

ଆନ୍ଧ୍ର ପ୍ରଶାସନର କହିବା ଅନୁଯାୟୀ, ବିଜୟନଗରମ ଜିଲ୍ଲା ସାଲୁର ମଣ୍ତଳରେ ରହିଛି ଏହି ବିବାଦୀୟ କୋଟିଆ ଅଞ୍ଚଳ। ସୀମାନ୍ତରେ ଥିବା ୨୨ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟ‌ରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଓଡ଼ିଶା ସରକାରଙ୍କ ହିସାବ ଅନୁଯାୟୀ, କୋଟିଆ ପଞ୍ଚାୟତରେ ୨୮ଟି ଗାଁ ଓ ୧୨ଟି ପଡାଗ୍ରାମ ରହିଛି। ଏମିତି ମୋଟ ୪୦ଟି ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତରେ ୮୭୬୪ଜଣ ଲୋକ ରହୁଛନ୍ତି। ପଞ୍ଚାୟତର ଏହି ୪୦ଟି ଗ୍ରାମରୁ ୨୭ଟି ଗାଁ ବିବାଦୀୟ ହୋଇ ରହିଛି। ସେଥିରୁ ୨୧ଟି ରାଜସ୍ବ ଗ୍ରାମ ଓ ୬ଟି ପଡାଗ୍ରାମ। ଏଗୁଡିକ ହେଲା କୋଟିଆ, ଗଞ୍ଜେଇ ପଦର, ମାଡକାର, ବାର୍ଣ୍ଣପାଡୁ, ଡୋଲିଆମ୍ବା, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡା, କନାଦୋରା, ହର ମାଣ୍ତିଙ୍ଗୀ, ସିଡିବାଲସା, ମହିପାଣି, ଉପର ସେମ୍ଭୀ, ତଳ ସେମ୍ଭୀ, ଧୂଳି ପଦର, ଆରଜୁ ବାଲସା, ତାଡି ବାଲସା, ନାରଡ ବାଲସା, ପନିକି, ରଣାସିଂହ ଓ ସୀମାଗାଡା। ବିବାଦୀୟ ହୋଇ ରହିଥିବା ପଡା ଗ୍ରାମଗୁଡିକ ହେଲା ତଳ ଗ‌ଞ୍ଜେଇ ପଦର, କୁରୁଡି ପଦର, ଜାନିଗୁଡା, ପାନକୁବାଲସା, ଟାଙ୍କର ବାଲସା ଓ ଉପର ପନିକି। ତେବେ କୋଟିଆ ପଞ୍ଚାୟତରେ ଥିବା ବରାବନ୍ଧ, ଥୁରିଆ, ମାଥଲାମ୍ବ, ଗୁମେଲ ପଦର, ତଳ କାଣ୍ଟି, କାଟ୍ରାଗୁଡା ଓ ସୁଳିଆମାରୀ ଗ୍ରାମକୁ ନେଇ କୌଣସି ବିବାଦ ନାହିଁ। ସେହିପରି ଉପର ବରାବନ୍ଧ, କରଞ୍ଜଗୁଡା, ଟାଉ ପଦର, ଫୁଲପଦର, କୋଡିଆମ୍ବ ଓ ସାଲେମ ପଦର ପରି ୬ଟି ପଡା ଗ୍ରାମ ନିର୍ବିବାଦୀୟ ହୋଇ ରହିଛି। ଏହା ଓଡ଼ିଶାରେ ଥିଲାବେଳେ ଏହାକୁ ଆନ୍ଧ୍ର ନିଜର ବୋଲି ଦାବି କରିନି।

ସମ୍ବନ୍ଧିତ ଖବର