ଦଶରଥପୁର/ବିଂଝାରପୁର: ପାଦରୁ ଅଳତା ଲିଭିନାହିଁ। ହାତରୁ ମେହେନ୍ଦି ଛାଡ଼ିନି। କୋକେଇରେ ବନ୍ଧା ହୋଇ ଜୁଇରେ ଜଳିଲା ନବବଧୂଙ୍କ ଶରୀର। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତ ଖଜୁରିମାଳ ଗ୍ରମରୁ ଆସିଛି ଏପରି ନବବଧୂ ହତ୍ୟା ଅଭିଯୋଗ। ଗ୍ରାମର ଭୀମସେନ ପଣ୍ଡାଙ୍କ ପୁଅ ବିଶ୍ୱଜିତ ପଣ୍ଡା ଓରଫ ସିପୁଙ୍କ ପତ୍ନୀ ମଧୁସ୍ମିତା ଦାଶ(ମାମା)କୁ ହତ୍ୟା କରାଯାଇଥିବା ନେଇ ବାପଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ମଙ୍ଗଳପୁର ଆଇଆଇସି ପବିତ୍ର ମହାରଣା ଘଟଣାସ୍ଥଳରେ ପହଞ୍ଚିବା ସହ ବିଂଝାରପୁର ଅତିରିକ୍ତ ତହସିଲଦାର ଠାକୁର ଦାସନାୟକଙ୍କ ଉପସ୍ଥିତିରେ ତଦନ୍ତ କରିଛନ୍ତି। ପରେ ସାଇଣ୍ଟିଫିକ ଟିମ୍‌ ଡକାଇ ଅଧିକ ଅନୁସନ୍ଧାନ କରାଯାଇଛି। ପୁଲିସ ଏ ଘଟଣାରେ ସ୍ବାମୀ ବିଶ୍ବଜିତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Advertisment

ବିଂଝାରପୁର ବ୍ଲକ ତଥା ଅଳକୁଣ୍ଡ ଥାନା ବରିକୂଳ ଗ୍ରାମର ପରେଶ ଚନ୍ଦ୍ର ଦାଶଙ୍କ ଝିଅ ମାମାଙ୍କ ସହ ଖଜୁରିମାଳର ବିଶ୍ବଜିତଙ୍କର ଗତ ମେ ୨୮ ତାରିଖରେ ବୈଦିକରୀତିରେ ବିବାହ ହୋଇଥିଲା। ନଗଦ ୧ ଲକ୍ଷ ଟଙ୍କା ସହିତ ସୁନା, ରୁପା ଅଳଙ୍କାର ଓ ଅନ୍ୟ ଆସବାବପତ୍ର ଯୌତୁକ ଆକାରରେ ଦିଆଯାଇଥିଲା। ବାପଘର ଲୋକଙ୍କ କହିବା ଅନୁସାରେ ଝିଅ ଗତ ୪ ଦିନ ହେବ ଫୋନ ଉଠାଉନଥିଲା। ଆଜି ସକାଳେ ହଠାତ ବେକରେ ଲୁଗା ଲଗାଇ ଫାଶୀ ଲଗାଇଥିବା ଖବର ପାଇଥିଲେ। ସେମାନେ ପହଞ୍ଚିବା ବେଳକୁ ଝିଅକୁ ଶାଶୂଘର ଲୋକେ ମଙ୍ଗଳପୁର ଡାକ୍ତରଖାନାକୁ ନେଇଯାଇଥିଲେ। ଫ୍ୟାନରେ ଲଗାଇଥିବା ଲୁଗାକୁ ମଧ୍ୟ ଖୋଲି ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ଝିଅର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବାପଘର ଲୋକେ। ଶାଶୂଘର ଲୋକେ ମିଳିମିଶି ମୋ ଝିଅକୁ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ପରେଶ ଚନ୍ଦ୍ର ଦାଶ ଅଭିଯୋଗ କରିଛନ୍ତି। ଯଦି ଝିଅ କୌଣସି କାରଣରୁ ଆତ୍ମହତ୍ୟା କଲା ତେବେ ଗୋଟିଏ ଘରେ ରହୁଥିବା ସ୍ୱାମୀ ଜାଣିପାରିଲେ ନାହିଁ କିପରି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।