କେନ୍ଦୁଝର: ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ଓ ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ମନ୍ଦିର ପରେ ଏବେ ଘଟଗାଁ ମା’ ତାରିଣୀ ପୀଠର ସୌନ୍ଦର୍ଯ୍ୟୀକରଣ ହେବ। ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ୫-ଟି ସଚିବ ଭିକେ ପାଣ୍ଡିଆନ କହିଛନ୍ତି। କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଶ୍ରୀ ପାଣ୍ଡିଆନ ଘଟଗାଁରେ ପହଞ୍ଚିବା ପରେ ପ୍ରଥମେ ମା’ ତାରିଣୀଙ୍କ ଦର୍ଶନ କରିଥିଲେ। ପରେ ଦେହୁରୀ ସେବାୟତଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ମା’ଙ୍କ ପୀଠର ଉନ୍ନତୀକରଣ କାମ ହାତକୁ ନିଆଯିବ ବୋଲି କହିଥିଲେ। ପରେ ସେ ମିନି ଷ୍ଟାଡିୟମରେ କୃଷକ, ମିସନ ଶକ୍ତି ମହିଳା ଓ ଜନସାଧାରଣଙ୍କ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। ସେ ନିଜ ଚାକିରି ଜୀବନର ପୁରୁଣା ସ୍ମୃତିକୁ ସାଉଣ୍ଟିଥିଲେ। ଓଡ଼ିଶା କ୍ୟାଡରରେ ଯୋଗଦେବା ପରେ ସେ କିଭଳି କେନ୍ଦୁଝର ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ଏବଂ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

Advertisment

ଏହା ପୂର୍ବରୁ ସେ କେନ୍ଦୁଝର ଅନ୍ତର୍ଗତ ସିଦ୍ଧମଠ ପରିଦର୍ଶନରେ ଯାଇଥିଲେ। ସେଠାରେ ବିଭିନ୍ନ ଦେବଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ସିଦ୍ଧମଠର ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ, ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ଫୁଟ୍‌ବଲ୍‌, ଆଥ୍‌ଲେଟିକ୍‌ ଗ୍ରାଉଣ୍ଡ, ବ୍ୟାଡମିଣ୍ଟନ କୋର୍ଟ, ଇଣ୍ଡୋର ଜିମ୍ ପରିଦର୍ଶନ କରିବା ସହ ଉପସ୍ଥିତ ଖେଳାଳିଙ୍କ ସହ ଆଲୋଚନା କରିଥିଲେ। କ୍ୟାମ୍ପସରେ ବୃକ୍ଷରୋପଣ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ସେଠାରୁ ସିଧା ଘଟଗାଁ ଗସ୍ତ କରିଥିଲେ ୫-ଟି ସଚିବ। ସେଠାରେ ମା’ ତାରିଣୀଙ୍କ ଦର୍ଶନ କରିବା ସହ ଗୁଣ୍ଡିଚାଘାଗି ଜଳପ୍ରପାତ ପରିଦର୍ଶନ କରିଥିଲେ। ଆଗାମୀ ୫୦୦ ବର୍ଷକୁ ଦୃଷ୍ଟିରେ ଗୁଣ୍ଡିଚାଘାଗିର ଉନ୍ନୟନ କାମ ହେବ। ୬ ମାସ ମଧ୍ୟରେ ଏହାକୁ ଶେଷ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହାପରେ ଶ୍ରୀ ପାଣ୍ଡିଆନ ବାଂଶପାଳ ବ୍ଲକ୍‌ ଗୋନାସିକା ଯାଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଶିକ୍ଷା ନିକେତନ ଓ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ। ଖୁବ୍‌ଶୀଘ୍ର ଏଠାରେ ଯୁକ୍ତଦୁଇ ପାଠପଢ଼ା ଆରମ୍ଭ ହେବବୋଲି ୫-ଟି ସଚିବ ପ୍ରକାଶ କରିଛନ୍ତି। ପରେ ଗୁପ୍ତଗଙ୍ଗା ପରିଦର୍ଶନ କରି ଏହାର ବିକାଶ ଦିଗରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏନେଇ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ସେଠାରୁ ପ୍ରସିଦ୍ଧ ଶୈବପୀଠ ବ୍ରହ୍ମେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। କୃଷକ, ମିସନ ଶକ୍ତି ମହିଳା ଓ ସ୍ଥାନୀୟ ଲୋକଙ୍କ ସମାବେଶକୁ ମଧ୍ୟ ସମ୍ବୋଧିତ କରିଥିଲେ।

ସେଠାରୁ ଶ୍ରୀ ପାଣ୍ଡିଆନ ହରିଚନ୍ଦନପୁର ବ୍ଲକ୍‌ କୁସୁମଯୋଡ଼ି ଯାଇ ମହିଳା କୃଷକ ବଜାର ପରିଦର୍ଶନ କରିଥିଲେ। କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଚାଷୀମାନେ ଲାଭବାନ ହୋଇପାରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ଏହାପରେ ସେ ଭଗାମୁଣ୍ଡା ଟସର ସିଲ୍‌କ ପାର୍କ ଯାଇ ଟସରରୁ କିପରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହେଉଛି ସେ ସବୁ ବୁଲି ଦେଖିଥିଲେ। ଏଠାରେ ପ୍ରସ୍ତୁତ ହେଉଥିବା ସମସ୍ତ ସାମଗ୍ରୀ ବ୍ରାଣ୍ଡିଂ ଓ ମାର୍କେଟିଂ ଲାଗି ରାଜ୍ୟ ସରକାର ସହାୟତା ଯୋଗାଇଦେବେ ବୋଲି ସେ କହିଥିଲେ। ଏହାପରେ ସେ ହାଟଡିହି ବ୍ଲକ୍‌ ସୁନ୍ଦରପାଳକୁ ଯାଇ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ। ପାନୀୟଜଳ ଯୋଗାଣ ପାଇଁ ସଙ୍ଗମଠାରେ ନିର୍ମାଣାଧୀନ ଜଳ ବିଶୋଧନାଗାର ପ୍ରକଳ୍ପ ପରିଦର୍ଶନ କରି ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ସେ ଆନନ୍ଦପୁର ବ୍ୟାରେଜ୍ ପରିଦର୍ଶନ କରି ଚାଲିଥିବା କାମର ତଦାରଖ କରିଥିଲେ। କେନାଲ କାମ ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା। ଏହା କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୬୦ ହଜାର ହେକ୍ଟର ଚାଷଜିମକୁ ଜଳସେଚନର ସମ୍ଭାବନା ସୃଷ୍ଟି କରିବ। ଏହି ଅବସରରେ  କ୍ରୀଡ଼ା  ସଚିବ ଆର୍‌ ଭିନୀଲ କ୍ରିଷ୍ଣା, ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ନୀତିଶ  କୁଶଲକର ପ୍ରମୁଖ ଉପସ୍ଥିତ ଥିଲେ।