ଖୋର୍ଦ୍ଧା: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଖୋର୍ଦ୍ଧାରେ ପାଳିତ ହୋଇଛି। ମିଳିତ ଜାତିସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଚଳିତବର୍ଷର ପ୍ରସଙ୍ଗ ରହିଛି ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ’। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ଗ୍ରାମାଞ୍ଚଳରେ କିନ୍ତୁ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି। ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବ୍ୟବସ୍ଥିତ ଆମ୍ବୁଲାନ୍ସ ସେବାର ଶୃଙ୍ଖଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆସନ୍ନ ପ୍ରସବାଙ୍କୁ ଚିକିତ୍ସାଳୟକୁ ଆଣିବା ଠାରୁ ଦୁର୍ଘଟଣାରେ ଆହତଙ୍କୁ ଠିକଣା ସମୟରେ ପହଞ୍ଚାଇ ଜୀବନ ବଞ୍ଚାଇବାରେ ଆମ୍ବୁଲାନ୍ସର ଭୂମିକାକୁ ଏଡାଇ ଦିଆଯାଇ ନପାରେ। ଏଭଳି କ୍ଷେତ୍ରରେ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତି ୮୩ହଜାର ଜନସଂଖ୍ୟାରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରହିଥିବା ଘଟଣା ଜିଲ୍ଲାର ସ୍ୱାସ୍ଥ୍ୟସେବାର ଦୁଃସ୍ଥ ଚିତ୍ରକୁ ପଦାରେ ପକାଇଛି। ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ମୋଟ ଜନସଂଖ୍ୟା ୨୨ଲକ୍ଷ ୫୧ ହଜାର ୬୭୩। ଏହା ମଧ୍ୟରୁ ଗ୍ରାମାଞ୍ଚଳରେ ୨ ଲକ୍ଷ ୪୭ ହଜାର ୩୦୪ଟି ପରିବାରର ୧୧ ଲକ୍ଷ ୬୭ ହଜାର ୩୫୭ ଜଣ ବସବାସ କରନ୍ତି।

Advertisment

ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିର ସ୍ଥିତିକୁ ଅନୁଶୀଳନ କଲେ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାଦ୍ ଦେଲେ ଗ୍ରାମାଞ୍ଚଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୧୨ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୪ଟି ୧୦୮ଟି ଆମ୍ବୁଲାନ୍ସ ରହିଛି। ଯଦି ଜିଲ୍ଲାର ଗ୍ରାମାଞ୍ଚଳର ଜନସଂଖ୍ୟା ସହ ଆମ୍ବୁଲାନ୍ସର ତୁଳନା କରାଯାଏ ତେବେ ୮୩ ହଜାର ୩୮୨ ଜଣ ପିଛା ଗୋଟିଏ ଆମ୍ବୁଲାନ୍ସ ଚାଲୁଛି। ୨୦୧୫-୧୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା। ଏଥିରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ପ୍ରତି ହଜାରେ ଜଣରେ ଜଣେ ଡାକ୍ତର ରହିବା ନିୟମ ରହିଥିବା ବେଳେ ଜିଲ୍ଲାରେ ୨୨୪୫ ବ୍ୟକ୍ତି ପିଛା ଜଣେ ଡାକ୍ତର ରହିଥିଲେ। ସେହିଭଳି ପ୍ରତି ହଜାର ଜଣରେ ଜଣେ ନର୍ସ ରହିବା ବ୍ୟବସ୍ଥା ରହିଥିବା ବେଳେ ଜିଲ୍ଲାରେ ୪୯୧୫ଜଣ ନର୍ସ ରହିଥିଲା। ପ୍ରତି ହଜାର ଜଣରେ ଗୋଟିଏ ଶଯ୍ୟା ରହିବା ନିୟମ ରହିଥିବା ବେଳେ ଜିଲ୍ଲାରେ ୨୯୧୦ଜଣରେ ଗୋଟିଏ ଶଯ୍ୟା ରହିଥିଲା। ଗତ ୧୦ ବର୍ଷ ମଧ୍ୟରେ ଡାକ୍ତର ଓ ନର୍ସ ସଂଖ୍ୟାରେ କିଛି ସୁଧାର ଆସିଥିବା ବେଳେ ଶଯ୍ୟା, ଆମ୍ବୁଲାନ୍ସ, ଏକ୍ସରେ, ରକ୍ତପରୀକ୍ଷଣ ଆଦି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ।