ଜୟପୁର: ଶିଶୁ କନ୍ୟାକୁ ଅପହରଣ ମାମଲାରେ ଗୋପବନ୍ଧୁ ନଗରର କିସାନ ସାଗରକୁ ଜୟପୁର ଟାଉନଥାନା ପୁଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ଜଣେ ବିଧବାଙ୍କ ସହ ବିବାହିତ ଅଭିଯୁକ୍ତ କିସାନ ପ୍ରେମସଂପର୍କ ସ୍ଥାପନ କରିଥିଲେ। ପରେ ମହିଳାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ। ବାରମ୍ବାର ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ମହିଳା ଜଣକ ବାହା ପାଇଁ ଜିଦ୍ ଧରିବାରୁ ଅଭିଯୁକ୍ତ ଘରକୁ ଗତ ବର୍ଷ ନେଇକି ଯାଇଥିଲେ। ସେଠାରେ ତାଙ୍କ ପ୍ରଥମ ପତ୍ନୀ ଓ ପରିବାରବର୍ଗ ମହିଳାଙ୍କୁ ଘରେ ରହିବାକୁ ମନା କରିବା ସହ ଘରୁ ବାହାର କରି ଦେଇଥିଲେ। ମହିଳା ଜଣକ ଟାଉନଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଟାଉନ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କିସାନକୁ କୋର୍ଟକୁ ଚାଲାଣ କରିଥିଲେ। ଏହାରି ମଧ୍ୟରେ ମହିଳା ଜଣକ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ବିଚାରବିଭାଗୀୟ ହାଜତରେ ରହିବା ପରେ ଜାମିନରେ ଗତ କିଛି ଦିନ ହେବ କିସାନ ଘରକୁ ଆସିଥିଲେ।

Advertisment

ଗତ ୨୬ ତାରିଖ ଦିନ ସଂନ୍ଧ୍ୟା ସମୟରେ ମହିଳା ଜଣକ ନବଜାତ ଶିଶୁ କନ୍ୟାକୁ ଧରି ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ କୋଭିଡ ହସପିଟାଲ ସମ୍ମୁଖରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଆଉ ଗୋଟିଏ ଘର ଭଡ଼ାରେ ନେଇ ରଖିବା ଏବଂ ନବଜାତ ଝିଅକୁ ତା ସହ ରଖିବାକୁ ପ୍ରତିଶ୍ରୃତି ଦେଇଥିଲେ। ତେବେ ମହିଳା ଜଣକ ଏଥିରେ ମନା କରିବାରୁ ଅଭିଯୁକ୍ତ ନବଜାତ ଶିଶୁକୁ ଅପହରଣ କରି ମାମଲାକୁ ପ୍ରତ୍ୟାହୃତ କରିବାକୁ ଧମକଚମକ ଦେଇଥିଲେ । ଅଭିଯୁକ୍ତର ଉଦ୍ଦେଶ୍ୟ ମନ୍ଦ ଥିବା ଭାବି ମହିଳା ଜଣକ ଘଟଣାସ୍ଥଳରେ ପ୍ରବଳ ଚିତ୍କାର କରିବା ସହ ଶିଶୁକନ୍ୟାକୁ ଅଭିଯୁକ୍ତର ହାତରୁ ଛଡାଇ ଆଣିଥିଲେ । ଏନେଇ ମହିଳା ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ କିସାନ ସାଗରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଟାଉନ ଥାନାଅଧିକାରୀ ସତ୍ୟାନନ୍ଦ ପାତ୍ର।