ବାମରା: ଆଜି ଏସ୍‌ଟିଏଫ୍‌ ପକ୍ଷରୁ ଅନୁଗୁଳ ଜିଲ୍ଲା ବାମରା ବନାଞ୍ଚଳରେ ବନ ବିଭାଗ ସହାୟତାରେ ଚଢ଼ାଉ କରାଯାଇ ୨ଟି ଚିତାବାଘ ଛାଲ ଜବତ କରାଯାଇଛି। ଘଟଣାରେ ସଂକୀର୍ତ୍ତନ ମୁଣ୍ଡା(୪୫)ଙ୍କୁ ଗିରଫ କରାଯାଇଛି। ସଂକୀର୍ତ୍ତନ ନିକଟରେ ବାଘଛାଲ ଥିବା ନେଇ ଏସ୍‌ଟିଏଫ୍‌ ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ସଂକୀର୍ତ୍ତନର ଘର ଦେବଗଡ ଜିଲ୍ଲାର ପାହାଡମରା ହୋଇଥିବାବେଳେ ତାକୁ ଗିରଫ କରାଯାଇ କୁଚିଣ୍ଡା ଏସଡିଜେଏମ କୋର୍ଟରେ ହାଜର କରା ଯାଇଥିଲା।

Advertisment

ଏ ନେଇ ଏସ୍‌ଟିଏଫ୍‌ ଏକ ମାମଲା ରୁଜୁ କରିଛି। ଏହି ଚଢ଼ଉରେ ଏସ୍‌ଟିଏଫ୍‌ ସମେତ ବାମରା ବନଖଣ୍ଡର କର୍ମଚାରୀମ‌ାନେ ସାମିଲ ଥିଲେ। ତେବେ ଜବତ ହେବା ପରେ ଏହି ଚିତାବାଘ ଛାଲର ପରୀକ୍ଷଣ ପାଇଁ ଡେରାଡୁନ୍‌ ସ୍ଥିତ ଡବ୍‌ଲ୍ୟୁଆଇଆଇକୁ ପଠାଯାଇଛି ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତଦନ୍ତ ଜାରି ରହିଛି ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।