୧୩ କେଜି ଗଞ୍ଜେଇ ସହ ୧ ଗିରଫ: ବିହାରକୁ ଚାଲାଣ କରୁଥିଲା ଅଭିଯୁକ୍ତ

ରାଉରକେଲା: ଗଞ୍ଜେଇ ଚାଲାଣ କରୁଥିବାବେଳେ ଆର୍‌ପିଏଫ୍‌ ଜଣେ ଅଭିଯୁକ୍ତକୁ କାବୁ କରିନେଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବିହାର ପୂର୍ବ ଚମ୍ପାଝରଣ ଜିଲ୍ଲାର ରକ୍ସୌଲ ଥାନା ରକ୍ସୌଲ ଗ୍ରାମର ରାମନାଥ ରାୟ। ଅଭିଯୁକ୍ତଠାରୁ ୧୩ କେଜି ୫୦ ଗ୍ରାମ୍‌ର ଗଞ୍ଜେଇ ଜବତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ରେଳ ଷ୍ଟେସନର ୪/୫ ନଂ ପ୍ଲାଟ୍‌ ଫର୍ମରେ ବୁଲୁଥିଲା। ତା’ର ଗତିବିଧି ସନ୍ଦେହଜନକ ହେବାରୁ ଆର୍‌ପିଏଫ୍‌ ପଚରାଉଚରା କରିଥିଲା। ପରେ ଯାଞ୍ଚ କରିବାରୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଥିଲା। ଅଭିଯୁକ୍ତକୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ରେଳବାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିବାସହ କୋର୍ଟଚାଲାଣ କରିଛି।

ଅଭିଯୁକ୍ତ ବିହାରକୁ ଗଞ୍ଜେଇ ନେଇ ଯାଉଥିବା ପୁଲିସ ସୂଚନାରୁ ପ୍ରକାଶ। ସୂଚନାଯୋଗ୍ୟ, ଗତ ୧୦ ଦିନ ଭିତରେ ୩ଟି ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ ହୋଇଛି। ଗତ ୮ ତାରିଖରେ ସେକ୍ଟର-୨୧ ନୟାବଜାର ସ’ ମିଲ୍‌ ଛକ ନିକଟରୁ ୧୦ କେଜି ୧ଶହ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଥିଲା। ଅଭିଯୁକ୍ତ ଦୀପକ ମହାନ୍ତି ଏକ ଅଟୋ (ଓଡି-୧୪ୟୁ-୫୭୦୫)ରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଅବକାରୀ ପୁଲିସ ହାତରେ ଧରାପଡ଼ିଥିଲା।

ସେହିଭଳି ଗତ ୪ ତାରିଖରେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୨୯ କେଜି ୫୮୫ ଗ୍ରାମ୍‌ ଗଞ୍ଜେଇ ଜବତ କରିଥିଲା। ଦୁଇ ଅଭିଯୁକ୍ତ ଆଖଣ୍ଡଳମଣୀ ବସ୍ତି (ସେକ୍ଟର-୧)ର ପିଣ୍ଟୁ ନାୟକ (୩୫) ଓ ବରଟୋଲି(ବନ୍ଧମୁଣ୍ଡା)ର ବିବେକାନନ୍ଦ ମହାନ୍ତି(୨୨)ଙ୍କୁ ଗିରଫ କରିଥିଲା। ଏକ ମାରୁତି ଡି’ଜାୟାର୍‌ କାର୍‌(ଓଡି-୧୪ଏକ୍ସ-୨୨୯୯)ରେ ସେକ୍ଟର-୧ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବାବେଳେ ପୁଲିସ ନୟାବଜାର ଛକରେ ସେମାନଙ୍କୁ କାବୁ କରିନେଇଥିଲା।

ସମ୍ବନ୍ଧିତ ଖବର