କାର ସହ ବିପୁଳ ପରିମାଣର ମଦ ଜବତ, ବ୍ୟବସାୟୀ ଗିରଫ

ବାଲିଅନ୍ତା: ଚୋରା ମଦ ବିକ୍ରି ମାମଲାରେ ଶୁକ୍ରବାର ସ୍ଥାନୀୟ ପୁଲିସ ଜଣେ କୁଖ୍ୟାତ ମଦ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲା କଟକ ଜିଲ୍ଲା ନିଆଳି ଥାନା ଅଧୀନ କସର୍ଦା ଗ୍ରାମର ଦିଲ୍ଲୀପ କୁମାର ପ୍ରଧାନ (୪୦) । ଘଟଣାସ୍ଥଳରୁ ପୁଲିସ ଚୋରା ମଦ ବ୍ୟବସାୟରେ ବ୍ୟବହୃତ ଉକ୍ତ କାର ସମେତ ୧୪୦ ବୋତଲ ଉଭୟ  ମଦ ଓ ବିଅର ଜବତ କରିଛି । ଏନେଇ ଥାନାରେ ନଂ ୧୨୧/୨୧ ରେ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ଦିଲ୍ଲୀପକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଟଙ୍କପାଣି ଓ ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତାରେ ଦିଲ୍ଲୀପ କାରରେ ଉପରୋକ୍ତ ପରିମାଣର ମଦ ନେଇ ଯାଉଥିବା ସଂପର୍କରେ କୌଣସି ସୁତ୍ରରୁ ବାଲିଅନ୍ତା ଥାନାକୁ ଖବର ମିଳିଥିଲା । ଖବର ପାଇ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ବ୍ରାହ୍ମଣଷଡ଼ଙ୍ଗୀ ଛକରେ  ଅତର୍କିତ ଚଢ଼ଉ କରି ଦିଲ୍ଲୀପକୁ କାବୁ କରି ନେଇଥିଲେ । ପୁଲିସ ସୂଚନା ମୁତାବକ ଦିଲ୍ଲୀପ ଦୀର୍ଘ ବର୍ଷ ହେଲା ଚୋରା ମଦ କାରବାର ଚଳାଇ ଆସୁଥିଲା । ସେ କାର ଭିତରେ ମଦ ଧରି ଓଲଟପୁର, ଅଡ଼ଶପୁର, କଣ୍ଟାପଡ଼ା, ନିଆଳି ଓ କସର୍ଦା, ସିଠାଳ ଆଦି ଅଞ୍ଚଳରେ ଅନ୍ୟ ଚୋରା ବ୍ୟବସାୟୀମାନଙ୍କୁ ବିକ୍ରି କରିଥାଏ । ହେଲେ ଆଜି ପୁଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା ।

ସମ୍ବନ୍ଧିତ ଖବର