ଥଣ୍ଡା ବୋତଲରେ ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଅଭିଯୁକ୍ତ ଗିରଫ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ସାଇଫନ ଛକ ସ୍ଥିତ ବଜାରରେ ଜଣେ ବ୍ୟବସାୟୀଙ୍କୁ ଥଣ୍ଡା ବୋତଲରେ ପ୍ରାଣାନ୍ତକ ଆକ୍ରମଣ କରିବା ମାମଲାରେ ଆଜି ସ୍ଥାନୀୟ ପୁଲିସ କୋଠଭୋଇ ସାହିର ସରୋଜ କୁମାର ସାମଲ (୨୫) ଓରଫ ସଞ୍ଜୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କୋର୍ଟରେ ଜାମିନ ଖାରଜ ହୋଇଯିବାରୁ ସଞ୍ଜୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ମୁଖ୍ୟ ଆସାମୀ ମାଟିକୋଟ ଗ୍ରାମର ଚନ୍ଦନ ଭୋଇକୁ ପୁଲିସ ଗିରଫ କରିବା ପାଇଁ ଗ୍ରାମରେ ଚଢ଼ାଉ କରିଥିଲେ ହେଁ ସେ ଖବର ପାଇ ଖସି ପଳାଇଥିବା ଜଣାପଡ଼ିଛି। ସଞ୍ଜୁଙ୍କ ବିରୋଧରେ ବିଶ୍ବଜିତ ସାହୁ ନାମକ ଜଣେ ବ୍ୟବସାୟୀ ଲିଖିତ ଅଭିଯୋଗ କରିଥିଲେ।

ସୂଚନାଅନୁସାରେ, ଗତ ମାସ ୮ ତାରିଖ ତାରିଖ ରାତି ସାଢ଼େ ୮ଟା ବେଳେ ସଞ୍ଜୁ ଓ ଏବଂ ଚନ୍ଦନ ଅନ୍ୟ ଦୁଇ ସହଯୋଗୀ ମିଶି ଦୋକାନ ନିକଟରେ ନିଶାଗ୍ରସ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ। ହେଲେ ବିଶ୍ବଜିତଙ୍କ ବାପା ଚକ୍ରଧର ସାହୁ ବିରୋଧ କରିବାରୁ ସେମାନେ ଥଣ୍ଡା ବୋତଲରେ ଚକ୍ରଧରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଆଜି ପୁଲିସ ସଞ୍ଜୁକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗିରଫ କରିବାରେ ଏଯାଏ ସକ୍ଷମ ହୋଇପାରି ନାହିଁ। ବିଶ୍ବଜିତଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏନେଇ ନଂ ୩୬୯/୨୧ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର