ବାରିପଦାରେ ବାଲେଶ୍ବର କରୋନା ପଜିଟିଭ୍‌ର ପ୍ରଭାବ: ରାସ୍ତାଘାଟ ଶୂନଶାନ୍‌, ମିଥ୍ୟା ପ୍ରଚାର କରି ଜଣେ ଗିରଫ

ବାରିପଦା: ବ‌ାଲେଶ୍ବରରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ବାରିପଦାରେ ଏହାର ପ୍ରଭାବ ପଡ଼ିଛି। ଆଜି ରବିବାର ଥିବା ସତ୍ତ୍ବେ ପୂର୍ବଦିନମାନଙ୍କ ଅପେକ୍ଷା ବଜାର ବେଶ୍‌ ଶୂନଶାନ ଥିବା ଦେଖିବାକୁ ମିଳିଥିଲା। ଏପରିକି ବଜାର ଘାଟ ମଧ୍ୟ ଫାଙ୍କା ଥିଲା। ବାଲେଶ୍ବର କରୋନା ଚିହ୍ନଟ ବ୍ୟକ୍ତିଙ୍କର ବାରିପଦା ସହିତ ଗସ୍ତ ସମ୍ପର୍କ ଥିବା ଗତକାଲିଠାରୁ ଚର୍ଚ୍ଚା ହେଉଥିଲା । ତେବେ ଆଜି ଜିଲ୍ଲାପାଳ ବିନୀତ ଭରଦ୍ବାଜ କହିଛନ୍ତି ଯେ ଏନେଇ ଆଜି ସୁଦ୍ଧା କୌଣସି ସୂଚନା ମିଳିନାହିଁ। ସୀମାବର୍ତ୍ତୀ ସ୍ଥାନଗୁଡ଼ିକରେ ଚେକିଂ ଓ ପ୍ରହରା କଡ଼ାକଡ଼ି କରାଯାଇଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡିକୁ ଛାଡି ବାଲେଶ୍ବର ଦିଗରୁ ଆସୁଥିବା କୌଣସି ଗାଡିକୁ ବାରିପଦାକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଆଜି ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟାନାୟକ ସୀମାବର୍ତ୍ତୀ ସ୍ଥାନ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସେହିପରି ଆଜି ବାରିପଦାର ୱାର୍ଡ ନଂ-୧୭ରେ କରୋନା ହୋଇଥିବା ବିଷୟ ଫେସ୍‌ବୁକରେ ପୋଷ୍ଟ୍‌ କରି ମିଥ୍ୟା ଅପପ୍ରଚାର କରିଥିବାରୁ ଶରାଫତ୍‌ ଟୁଲା(୫୧) ନାମକ ଜଣେ ବ୍ୟକ୍ତିଙ୍କୁ ବାରିପଦା ଟାଉନ୍‌ ଥାନା ପୁଲିସ୍‌ ଗିରଫ କରିଛି। ତାଙ୍କ ବିରୋଧରେ ଦଫା ୫୦୪/୫୦୫/୧୮୮ ଆଧାରରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ତେବେ ସମ୍ପୂର୍ଣ୍ଣ ଜିଲ୍ଲାରେ ଲକ୍‌ଡାଉନ ଓ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଲାଗୁ କରାଯାଉଥିବା ଦେଖାଦେଇଛି।

ବାଲେଶ୍ବରରୁ ଆସିଥିବା ସନ୍ଦେହରେ ହଇରାଣ

ଆଜି ବାଲେଶ୍ବରରୁ ଆସିଥିବା ସନ୍ଦେହରେ ହଇରାଣ ହୋଇଛନ୍ତି ଯଶୀପୁର ଅଞ୍ଚଳର କିଛି ବ୍ୟକ୍ତି। ବାରିପଦା ୱାର୍ଡ ନଂ-୧୭କୁ କିଛି ବ୍ୟକ୍ତି ହସ୍‌ପିଟାଲ ଜନିତ କୌଣସି କାମକୁ ନେଇ ଆସିଥିଲେ। ତେବେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ବାଲେଶ୍ବରରୁ ଆସିଥିବା ସନ୍ଦେହ କରି ଅଟକ ରଖିଥିଲେ। ପରେ ପୁଲିସ୍‌ ଏବଂ ତହସିଲଦାରଙ୍କୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ୍‌ ଓ ପ୍ରଶାସନ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନ‌େ ହସ୍‌ପିଟାଲ କାମ ନେଇ ଆସିଥିବା ଜଣାପଡ଼ିଥିଲା ବୋଲି ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି। ତେବେ ବାଲେଶ୍ବରରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ବାରିପଦାରେ ଏହାର ପ୍ରଭାବ ପଡ଼ିଥିବା ପ୍ରମାଣିତ ହୋଇଛି।

 

ସମ୍ବନ୍ଧିତ ଖବର