ଭଦ୍ରକ: ଭଦ୍ରକର ପୁରୁଣା ବଜାର ଅଞ୍ଚଳ ନକଲି ଜର୍ଦ୍ଦାର ପେଣ୍ଠସ୍ଥଳୀ ପାଲଟି ଥିବା ବେଳେ ଗତକାଲି ପୁଲିସ ଚଢ଼ଉ କରି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଏହି ଚଢ଼ଉ ବେଳେ ଅଭିଯୁକ୍ତ କିଛି ନାମୀଦାମୀ ବ୍ରାଣ୍ଡର ନକଲି ଜର୍ଦ୍ଦା କମ୍ପାନିର ଲେବୁଲ ରଖିଥିଲେ। ଯାହାକୁ ପୁଲିସ ଜବତ କରିଛି। ଜବତ ବେଳେ ପ୍ରାୟ ୮ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ସହ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଗିରଫ ହୋଇଛି। ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୁଲିସ ତରଫରୁ ଚଢ଼ଉ କରାଯାଇଛି। ଭଦ୍ରକ ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀଙ୍କ ସୂଚନା ଅନୁଯାୟୀ ନକଲି ଜର୍ଦ୍ଦା ତିଆରି ଓ ବିକ୍ରି ନେଇ ଖବର ମିଳିବା ପରେ ଭଦ୍ରକ ପୁଲିସ ଏକ ଟିମ ଗଠନ କରି ପୁରୁଣା ବଜାର ଥାନା ଅଧିନ କାଜିମହଲାରେ ଚଢ଼ଉ କରିଥିଲା। ଲାଲଟୁ ଓରଫ ଏସକେ ଅବଦୁଲ କମାରର ଦୋକାନ ଓ ଘରେ ରେଡ଼ କରିବା ସମୟରେ ୨୨ଟି ବ୍ୟାଗରେ ବିଭିନ୍ନ ବ୍ରାଣ୍ଡର ୪୮ ସହ ଡବା ନକଲି ଜର୍ଦ୍ଦା ଜବତ ହୋଇଥିଲା।

Advertisment

ଏହାସହ କନକ ଓ ବାବା ବ୍ରାଣ୍ଡର ୭୦ କିଲୋ ପ୍ୟାକେଟ ଜର୍ଦ୍ଦା ଓ ୫୦ କିଲୋ ଖୋଲା ଜର୍ଦ୍ଦା ମିଳିଛି। ୮ କାର୍ଟୁନ ପେପର, ରିଂ ଟିନ ପ୍ଲେଟ ଜବତ ହୋଇଛି। ୨୦ କିଲୋ ପିପରର୍ମିଣ୍ଟ, ୪ ବ୍ୟାଗ ଜର୍ଦ୍ଦା କେମିକାଲ,  ୧୧ ସହ ୮ ଲିଟର ଲିକ୍ୟୁଇଡ଼ କେମିକାଲ ସହ ଅନ୍ୟନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ୮ରୁ ୧୦ ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି। ତେବେ ଏହି ଘଟଣାରେ ଏସ୍‌କେ ଅବଦୁଲ କମାରକୁ ପୁଲସ ଗିରଫ କରି କୋର୍ଟ ଚାଲାଣ କରିଛି।