ବାରିପଦା: ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜାଲ ନୋଟ୍ କାରବାରର ତଦନ୍ତ କରୁ କରୁ ଜଣେ ଦେଶୀ ବନ୍ଧୁକ କାରବାର କରୁଥିବା ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍। ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଗତକାଲି ଗିରଫ ହୋଇଥିବା ଜାଲ ନୋଟ୍ କାରବାରରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କ ସହିତ ଉଦଳା ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ସମ୍ପର୍କରେ ସୂଚନା ପାଇ ତଦନ୍ତ ଚଳାଇଥିଲେ।

Advertisment

ତେବେ ଉଦଳା ଥାନା ପୁଲିସ୍ ସହାୟତାରେ ଏହି ଥାନା ଅନ୍ତର୍ଗତ ଜୟପୁର ଓ ଦାମସାହି ଅଞ୍ଚଳରେ ଦୁଇଟି ଦେଶୀ ବନ୍ଧୁକ ସହିତ ୩ ଜୀବନ୍ତ ଗୁଳି ଜବତ କରାଯାଇଛି। ଉଦଳା ଥାନା ଅଧିକାରୀ ମୌରିଶ କୁଲୁ ସଦଳବଳେ ଖୁଣ୍ଟା ଥାନା ପୁଲିସ ସହାୟତାରେ ଜୟପୁର ଓ ଦାମସାହି ଅଞ୍ଚଳରେ ତଲାସୀ ସମୟରେ ଏହି ଥାନା ଅନ୍ତର୍ଗତ ପୁରୁଣାବାରିପଦା ଚିଲିମା ଗ୍ରାମର କାଠିଆ ଓରଫ ମନୋଜ କୁମାର ମହାନ୍ତି(୫୮)ଙ୍କୁ ଗିରଫ କରିଥିଲେ। ଏହି ଅବସରରେ ୪୦ ସିଏମ ଓ ୨୧ ସିଏମର ଦୁଇଟି ଦେଶୀ ପିସ୍ତଲ ଏବଂ ୩ଟି ଜୀବନ୍ତ ଗୁଳି ପୁଲିସ ଜବତ କରିଥିଲା। ଉକ୍ତ ଦେଶୀ ବନ୍ଧୁକ ଦୁଇଟିର ଲାଇସେନ୍ସ ଓ କାଗଜପତ୍ର ନଥିବା ଜଣାପଡ଼ିଛି।

ଏନେଇ ଉଦଳା ଥାନାରେ ଅଭିଯୁକ୍ତ କାଠିଆ ବିରୋଧରେ ଆଇପିସି ଧାରା ୨୫/୨୭ ଆର୍ମସ୍ ଆକ୍ଟ ଅନୁସାରେ କେଶ ନମ୍ବର ୩୨୧/୨୦୨୦ରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତ ଜଣଙ୍କ ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗରେ ପିଡ଼ୀତ ଥିବା ଏବଂ ଔଷଧ ଖାଇନଥିବାରୁ ସାମାନ୍ୟ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କର ପୂର୍ବରୁ ମଧ୍ୟ ଅପରାଧିକ ଟ୍ରାକ୍ ରେକର୍ଡ ରହିଛି। ଉଦଳା ଥାନା ଅଞ୍ଚଳରେ ଦେଶୀ ବନ୍ଧୁକ କାରବାର ସହିତ ଜାଲ ନୋଟ କାରବାରରେ ଗିରଫ ଦୁଇ ଅଭିଯୁକ୍ତଙ୍କ ସହିତ ମଧ୍ୟ ବହୁ ପୂର୍ବରୁ ସମ୍ପର୍କରେ ଥିବା ଜଣାପଡ଼ିଛି।