ଗୋଷ୍ଠୀ ସଂଘର୍ଷ ମାମଲାରେ ଜଣେ ଗିରଫ

ଧଉଳି: ଧଉଳି ପୁଲିସ ଗତକାଲି ସ୍ଥାନୀୟ ଟିକରପଡ଼ା ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡ‌ଗୋଳ ମାମଲାରେ ଗୋଟିଏ ପକ୍ଷର ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ରଶ୍ମିରଂଜନ ସ୍ବାଇଁ (୪) । ତେବେ କୋର୍ଟରେ ଜାମିନ ନାମଂଜୁର ହେବାରୁ ରଶ୍ମିରଂଜନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଗତ ସୋମବାର ପୂର୍ବାହ୍ନରେ ଗ୍ରାମର ଦୁଇ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିଲେ । ଧଉଳି ଥାନା ପୁଲିସ ସେମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ଚିକିତ୍ସା କରାଇଥିଲା । ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ଥାନାରେ ପୃଥକ ମାମଲା ରୁଜୁ ହୋଇଥିଲା । ଦୁଇ ପକ୍ଷରୁ ୫ ଜଣଙ୍କ ନାମରେ ମାମଲା ରୁଗୁ ହୋଇଥିଲା ।  ଆଜି ପୁଲିସ ଗୋଟିଏ ପକ୍ଷର ରଶ୍ମିରଂଜନଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଏଯାଏ ଗିରଫ କରିପାରି ନାହିଁ ।

ବିପକ୍ଷ ଗୋଷ୍ଠୀର ଅଭିଯୁକ୍ତଙ୍କୁ ସ୍ଥାନୀୟ ପୁଲିସ ଗିରଫ ନକଲେ ଅନ୍ୟଗୋଷ୍ଠୀ  ଡିସିପିଙ୍କୁ ଭେଟିବେ‌ ବୋଲି ଜଣାଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଭାଇଭାଗ ଜାଗାବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପୁରୁଣା ବିବାଦ ଲାଗି ରହିଛି । ଗତକାଲି ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଆଉ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିବାରୁ ଉଭୟ ପରିବାରର ୫ ଜଣ ସଦସ୍ୟ ଘଟଣାସ୍ଥଳରେ କ୍ଷତାକ୍ତ ହୋଇପଡ଼ିଥିଲେ ।

ସମ୍ବନ୍ଧିତ ଖବର