୩୫୦ ଲିଟର ଦେଶୀ ମଦ ଓ ଆସ୍କା-୪୦ ଜବତ, ଜଣେ ଗିରଫ 

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଶିଳ୍ପାଂଚଳରୁ ବିପୁଳ ପରିମାଣରେ ଦେଶୀ ମଦ ଓ ଆସ୍କା-୪୦ ଜବତ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ମିଳିଥିବା ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏସ୍‌ଆଇ ଦିଗ୍‌ବିଜୟ ବିଶ୍ୱାଳଙ୍କୁ କୌଣସି ସୂତ୍ରରୁ ମଦ ଚାଲଣ ହେଉଥିବା ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଏସ୍‌ପି ରାଜ କିଶୋର ଦୋରାଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ଏସ୍‌ଆଇ ଶ୍ରୀ ବିଶ୍ୱାଳ, ରଶ୍ମୀ ରଂଜନ ଦାଶଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଜମାଦେଈର ପର୍ଶୁରାମ ପାତ୍ରଙ୍କ ଘର ନିକଟରେ ଛାପା ମାରିଥିଲେ । ତାଙ୍କ ଘରୁ ୨୦୦ ମିଲି ବୋତଲର ୧୭୫୦ଟି ଆସ୍କା-୪୦ ଓ ଅନ୍ୟ ଦେଶୀମଦ ଜବତ କରିଥିଲେ । ମୋଟ ଜବତ ହୋଇଥିବା ୩୫୦ ଲିଟର ମଦର ଆନୁମାନିକ ବଜାର ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କା ହେବ ।

ଏହି ଘଟଣାରେ ୨୭୨/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ପର୍ଶୁରାମଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାର ତଦନ୍ତ ଏଏସ୍‌ଆଇ ଶରତଚନ୍ଦ୍ର ପ୍ରଧାନ କରୁଥିବା ବେଳେ ଚଢ଼ଉରେ କନ୍‌ଷ୍ଟେବଳ ନିଲୁ ମଲ୍ଲିକ, ପି କେ ହରିଚନ୍ଦନ, ଏନ୍ ପ୍ରଧାନ, ଓଏପିଏଫ୍ ରମେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର