୫୦ଲକ୍ଷ ହଡ଼ପ କରି ଘରୋଇ ପରିବହନ କମ୍ପାନିର ହିସାବ ରକ୍ଷକ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ପରିବହନ କମ୍ପାନିର ୫୦ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ସେହି କମ୍ପାନିର ହିସାବ ରକ୍ଷକଙ୍କୁ ଗିରଫ କରିଛି। ସୂଚନାନୁସାରେ, ଶିଳ୍ପାଞ୍ଚଳରେ ମୟୂର ଟ୍ରାନ୍ସପୋର୍ଟ କର୍ପୋରେସନ ନାମକ ଏକ ଘରୋଇ ପରିବହନ ସଂସ୍ଥା ସେଠାରେ ଥିବା ବ୍ରିଟାନିଆ କମ୍ପାନିର ପ୍ରସ୍ତୁତ ବିସ୍କୁଟ୍‌କୁ ବିଭିନ୍ନ ସ୍ଥାନକୁ ପରିବହନ କରିଥାଏ। ଏହି ସଂସ୍ଥାରେ ନିକଟରେ ଅଡିଟ୍ ହୋଇଥିଲା। ଅଡିଟ୍‌ରେ ଗତ ୭ ମାସରେ କମ୍ପାନିର ୫୦ଲକ୍ଷ ଟଙ୍କା ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ଏହାପରେ କମ୍ପାନିର ଆକାଉଟାଣ୍ଟ ଭଦ୍ରକ ବନ୍ଥ ଥାନା ଅନ୍ତର୍ଗତ ବିଞ୍ଜାର ରଙ୍ଗାଧର ମହାକୁଡ଼ ଫେରାର ହୋଇଯାଇଥିଲେ। ଏନେଇ ଜାନୁଆରୀ ୪ ତାରିଖରେ କମ୍ପାନିର ମାନବସମ୍ବଳ ପରିଚାଳକ ତରୁଣ କୁମାର ରାଉତ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଏନେଇ ଧାରା ୪୦୯ରେ ୫/୨୦୨୨ରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏସ୍‌ପି ରାଜକିଶୋର ଦୋରା ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ଟିମ୍ ଫେରାର୍ ଅଭିଯୁକ୍ତ ରଙ୍ଗାଧରଙ୍କୁ ଧରିବାକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିଥିଲେ। ଶେଷରେ ଗତକାଲି ବଡ଼ବିଲ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଅଣାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ନିକଟରେ ହାଜର କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଓ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯାଇଥିବା ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର