ଲୁଣ ଟ୍ରକରୁ ୫୨୩ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ଲଗାତାର ଗଞ୍ଜେଇ ଧରପଗଡରେ ସଫଳତା ମିଳି ଚାଲିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା ପୁଲିସ ଲଗାତାର ବିଭିନ୍ନ ଅଞ୍ଚଳରେ ଚଢଉ କରି ଲକ୍ଷଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରି ସାରିଲାଣି। ଏହି କ୍ରମରେ ଆଜି ମଧ୍ୟ ଚିତ୍ରକୋଣ୍ଡା ପୁଲିସ ତରଫରୁ ରାଜୁଲକୋଣ୍ଡା ନିକଟରେ ପୋଟ୍ରୋଲିଂ କରୁଥିବା ସମୟରେ ଓଡି-୦୭-ଏଏଲ-୯୧୭୪ ବିହୀନ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖିବା ପରେ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଏହି ଟ୍ରକରେ ଲୁଣ ବସ୍ତା ଭର୍ତ୍ତି ହୋଇ ରହିଥିଲା। ପୁଲିସ ଯାଞ୍ଚ କରୁଥିବା ସମୟରେ ଲୁଣ ବସ୍ତା ଦେଖି ପ୍ରଥମେ ସନ୍ଦେହ କରି ନଥିଲା। କିନ୍ତୁ ପରବର୍ତ୍ତି ସମୟରେ ଲୁଣ ବସ୍ତା ତଳେ ୨୧ଟି ଗଞ୍ଜେଇ ବ୍ୟାଗ ରହିଥିବା ପୁଲିସ ପରେ ଜାଣିବାକୁ ପାଇଥିଲା। ଏହି ୨୧ଟି ବ୍ୟାଗକୁ ଆଣି ଓଜନ କରିବା ପରେ ସେଥିରେ ୫୨୩ କିଲୋ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲା। ଗଞ୍ଜାମର ମିଥୁନ ପାଣିଗ୍ରାହୀକୁ ପୁଲିସ ଗିରଫ କରିଥିଲା।

ଏହି ଗଞ୍ଜେଇକୁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦାରକୋଣ୍ଡା ଗ୍ରାମରୁ ରାୟପୁରକୁ ସ୍ଥାନାନ୍ତର କରୁଥିଲେ। ଲଗାତାର ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ବାହାର ଜିଲ୍ଲା ଏବଂ ରାଜ୍ୟକୁ ଚାଲାଣ ହୋଇ ଆସୁଛି। ମାଫିଆ ମାନେ ଡାଳେ ଡାଳେ ଗଲେ ପୁଲିସ ମଧ୍ୟ ପତରେ ପତରେ ଯାଇ ସମସ୍ତ ଚାଲକୁ ଫସର ଫଟାଉଛି। ଆଗାମୀ ଦିନରେ ମଧ୍ୟ ଏହି ଚଢଉ ଜାରି ରହିବ ବୋଲି ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର