ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ରୋଗୀଙ୍କଠାରୁ ମୋବାଇଲ ଚୋରି କରିବା ଅଭିଯୋଗରେ ରଘୁନାଥପାଲି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛି ଗାଢ଼ାଟୋଲିର ଅଭିମନ୍ୟୁ ବାରିକ(୩୪)। ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବଳରାମ ସିନ୍ଧ୍ରିଆ ଚିକିତ୍ସା ପାଇଁ ଆର୍‌ଜିଏଚ୍‌କୁ ଆସିଥିଲେ। ଟିକଟ କାଟିବାକୁ ଲାଇନ୍‌ରେ ଛିଡ଼ାହୋଇଥିବାବେଳେ ଅଭିଯୁକ୍ତ ମୋବାଇଲ ଚୋରି କରିନେଇଥିଲା। ପରେ ଦୌଡ଼ି ପଳାଇବାକୁ ଉଦ୍ୟମକଲାବେଳେ ସ୍ଥାନୀୟ ଲୋକ ତାକୁ କାବୁ କରିନେଇଥିଲେ। ଅଭିଯୁକ୍ତକୁ ନୁର୍ଧୁମ ମାଡ଼ମାରିବାପରେ ପୁଲିସକୁ ହସ୍ତାନ୍ତର କରିଥିଲେ।
Advertisment
ଏହାସହ ଚୋରି ଘଟଣାରେ ଫେରାର ଥିବା ଏସ୍‌ଟିଆଇ ରାଜୀବ ବସ୍ତିର କାହ୍ନା ଛତ୍ରିଆ(୨୬)ଙ୍କୁ ରଘୁନାଥପାଲି ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ଉଲ୍ଲେଖଯୋଗ୍ୟ, ଗତ ୧୩ ତାରିଖରେ ନିର୍ମାଣାଧୀନ ଏସ୍‌ଟିଆଇ ମାର୍କେଟ୍‌ କଂପ୍ଲେକ୍ସର ପ୍ରାୟ ଦେଢ଼ କ୍ବିଣ୍ଟାଲ ଲୁହା ରଡ୍‌କୁ ତିନିଜଣ ଅଭିଯୁକ୍ତ ଚୋରି କରିନେଇଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ଦୁଇ ଅଭିଯୁକ୍ତ ରାଜୀବ ବସ୍ତିର ଶଙ୍କର ସାହୁ(୨୮) ଓ ଶଙ୍କର ପ୍ରଧାନ(୨୭)ଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା। ଏହାସହ ଚୋରି ସାମଗ୍ରୀକୁ ପୁଲିସ ଜବତ କରିଥିଲା।