ସୋନପୁର: ସୋନପୁରର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ପ୍ରସ୍ତୁତ କରି ବ୍ଲାକ୍‌ମେଲିଂ ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ସୋନପୁର ପୁଲିସ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବରା ଥାନା ତଥା ବାଗବରା ଗାଁର ଅଭିଯୁକ୍ତ ଯୋଗୀନ୍ଦ୍ର ସୋନୀ (୩୪ବର୍ଷ)କୁ ଗିରଫ କରିଛି। ଏ ସମ୍ପର୍କରେ ସୋନପୁର ଏସ୍‌ପି ଅମରେଶ ପଣ୍ଡା ସୂଚନା ଦେଇ କହିଛନ୍ତି, ବ୍ରହ୍ମପୁରରେ ବିବାହ କରିଥିବା ସୋନପୁରର ଜଣେ ମହିଳାଙ୍କ ସହ ଅଭିଯୁକ୍ତ ଯୋଗୀନ୍ଦ୍ର ଫେସ୍‌ବୁକ୍‌ରେ ବନ୍ଧୁତା କରିଥିଲା। ଏହାପରେ ଯୋଗୀନ୍ଦ୍ର ଫେସ୍‌ବୁକ୍‌ରୁ ସମ୍ପୃକ୍ତ ମହିଳାଙ୍କ ଫଟୋ କାଢ଼ି ତାକୁ ଫଟୋସପ୍‌ରେ ଅଶ୍ଳୀଳ ଫଟୋ କରି ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲା। ଏହି ଘଟଣା ଗତ ୨୧ ଡିସେମ୍ବର ୨୦୨୨ରୁ ଆରମ୍ଭ ହୋଇଥିଲା। ଯୋଗୀନ୍ଦ୍ର ଅଶ୍ଳୀଳ ଫଟୋ ଭାଇରାଲ କରିବା ଭୟ ଦେଖାଇ ବିଭିନ୍ନ ସମୟରେ ମୋଟା ଅଙ୍କର ଟଙ୍କା ମାଗୁଥିଲା। ମହିଳା ଜଣକ ଭୟଭୀତ ହୋଇ ପ୍ରଥମେ ୩ଟି ପର୍ଯ୍ୟାୟରେ ଫୋନ୍‌ପେ ମାଧ୍ୟମରେ ୭୮ ହଜାର ୧୦୦ ଟଙ୍କା ଦେଇଥିଲେ। ଏହାପରେ ଅଭିଯୁକ୍ତ ସମାଧାନ ପାଇଁ ସମ୍ପୃକ୍ତ ମହିଳାଙ୍କୁ କହିବା ସହ ୨ ଲକ୍ଷ ଟଙ୍କା ଧରି ରାଜସ୍ଥାନର ଥାଟୁରେ ଥିବା ବାବା ଆଶ୍ରମକୁ ଆସିବାକୁ କହିଥିଲା।
Advertisment
ଏହାପରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ସେଠାକୁ ଯାଇ ଅଭିଯୁକ୍ତ ଯୋଗୀନ୍ଦ୍ରକୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ପୁଣି ଯୋଗୀନ୍ଦ୍ର ଟଙ୍କା ଦାବି କରିବାରୁ ବ୍ରହ୍ମପୁରରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ୧ ଲକ୍ଷ ଟଙ୍କା ଦେଇଥିଲେ। ଏହିପରି ଭାବେ ଯୋଗୀନ୍ଦ୍ର ମୋଟ ୩ ଲକ୍ଷ ୭୮ହଜାର ୧୦୦ ଟଙ୍କା ନେଇଥିବା ସୂଚନା ଦିଆଯାଇଛି। ଏପରିକି ଯୋଗୀନ୍ଦ୍ର ସମ୍ପୃକ୍ତ ମହିଳାଙ୍କୁ ହତ୍ୟା ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳା ଜଣକ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିବାରୁ କେସ୍‌ ନଂ ୨୦୨/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଯୋଗୀନ୍ଦ୍ରକୁ ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ରୁ ଗିରଫ କରିଥିଲା। ଏଥିସହ ତା’ଠାରୁ ୨ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଆଜି ଗୁରୁବାର ଯୋଗୀନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଆଇଆଇସି ପଦ୍ମାସିନୀ ମେହେର ଉପସ୍ଥିତ ଥିଲେ।