ଉମରକୋଟ: ଅନୈତିକ ଭାବେ ଟଙ୍କା ରୋଜଗାର କରିବା ଆଜିକାଲିର ଯୁବପୀଢ଼ିଙ୍କ ଏକ ଅଭ୍ୟାସ ହୋଇଯାଇଛି। ଏହିଭଳି ଠକକାମରେ ନାବାଳକମାନେ ମଧ୍ୟ ସଂପୃକ୍ତ ହେଉଛନ୍ତି। ପୁଲିସ ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି। ମୋବାଇଲ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗରେ ନବରଂଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପୁଲିସ ଜଣେ ନାବାଳକକୁ ଗିରଫ କରିଛି। ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବାଲିପଦର ଥାନା ଅଞ୍ଚଳର। ପୁଲିସ ନାବାଳକ ଠାରୁ ନଗଦ ୧ଲକ୍ଷ ୫ ହଜାର ସମେତ ଗୋଟିଏ ଲାପଟପ୍‌, ତିନିଟି ଏଟିଏମ୍‌ କାର୍ଡ, ୫ଟି ଚେକ୍‌ବୁକ୍, ୨ଟି ବ୍ୟାଙ୍କ ପାସ୍‌ବୁକ୍‌, କିଛି ବୈଦ୍ୟୁତିକ ଉପକରଣ, ୬ଟି ପେନ୍‌ଡ୍ରାଇଭ୍, କ୍ରିପ୍ଟ ହେକିଂ ବୁକ୍‌ ଓ ଚେକ୍‌ବୁକ୍‌ ଜବତ କରିଛି।

Advertisment

ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ଅଧିନ ମୁର୍ତ୍ତୃମା ପଞ୍ଚାୟତର ସାନଖଡ଼କା ଗ୍ରାମର ଗୋକୁଲ ବିଶ୍ୱାସ ସାଇବର ଠକଙ୍କ ଶିକାର ହେଇଥିଲେ। ତାଙ୍କ ଠାରୁ ଠକମାନେ ୧ଲକ୍ଷ ୫ହଜାର ୩୨ ଟଙ୍କା ଠକି ନେଇଥିବା ନେଇ ଉମରକୋଟ ଥାନାର ଦ୍ୱାରାସ୍ଥ ହୋଇଥିଲେ। ଗତ ୨୧ ତାରିଖ ଦିନ ଏକ ମୋବାଇଲ (୮୨୬୩୯୬୩୧୨୬)ରୁ ଗୋକୁଲଙ୍କ ମୋବାଇଲକୁ କଲ ଆସିଥିଲା। ଯିଏ ଫୋନ୍‌ କରିଥିଲା ସେ ନିଜକୁ ପେନିୟର ବାୟ ବ୍ୟାଙ୍କର ସେଲସ୍‌ ମ୍ୟାନେଜର ଭାବେ ପରିଚୟ ଦେଇଥିଲା। ବ୍ୟକ୍ତି ଜଣକ  ଆପଣଙ୍କ ମୋବାଇଲରେ ପେ ନିୟରବାୟ ବ୍ୟାଙ୍କ ଆପ ଡାଉନଲୋଡ଼ ହୋଇଛି ମୁ କେୱାସି ପଠେଇଛି ଆପଣ ତାକୁ ଅନୁମୋଦନ କରନ୍ତୁ ବୋଲି କହିଥିଲା। ଉକ୍ତ ବ୍ୟକ୍ତିର କଥାରେ ବିଶ୍ଵାସ କରି ଗୋକୁଳ ଆପକୁ ଅନୁମୋଦନ କରି ଦେଇଥିଲେ।

publive-image Sambad

ଫଳରେ ଅଳ୍ପ ସମୟ ମଧ୍ୟରେ ଗୋକୁଳଙ୍କ ବ୍ୟାଙ୍କ ଖାତାରେ ଥିବା ସମସ୍ତ ୧ଲକ୍ଷ ୫ହଜାର ୩୨ ଟଙ୍କା ଠକ ଜଣକ ନେଇ ଯାଇଥିଲା। ଘଟଣାକୁ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପରେ ଅଭିଯୋଗକୁ ଭିତ୍ତିକରି  ପୁଲିସ ଓ ସାଇବର ପୁଲିସ ନାବାଳକକୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଘଟଣାରେ ଆଉ କେଉଁମାନେ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି।