୯ଲକ୍ଷ ନଗଦ ଟଙ୍କା ସମେତ ୩୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ୧ ଗିରଫ

ଖୋର୍ଦ୍ଧା: ଦୀର୍ଘ ୬ ମାସର ବ୍ୟବଧାନ ପରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ବ୍ରାଉନସୁଗାର କାରବାର ମାମଲାର ପର୍ଦ୍ଦାଫାସ କରିଛି। ଅଜି ଭୋରରେ ଖୋର୍ଦ୍ଧା ଉପକଣ୍ଠରେ ଚଢ଼ଉ କରି ଜଣେ ଯୁବକଙ୍କ ନିକଟରୁ ୩୨ଲକ୍ଷ ଟଙ୍କାର ବ୍ରାଉନସୁଗାର, ବିକ୍ରି ବାବଦକୁ ରଖିଥିବା ୯ଲକ୍ଷ ଟଙ୍କା ସହ ମୋଟରସାଇକଲ ଆଦି ଜବତ କରାଯାଇଛି। ଖୋର୍ଦ୍ଧା ଉପକଣ୍ଠ ଲୋକେଶ୍ୱରପୁର ଠାରେ ଏକ ବଡ଼ଧରଣର ବ୍ରାଉନସୁଗାର କାରବାର ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ପାଇ ଖୋର୍ଦ୍ଧା ଅବକାରୀ ଏସ୍ପି ରାମଚନ୍ଦ୍ର ମିଶ୍ରଙ୍କ ନିଦ୍ଦେଶକ୍ରମେ ଅବକାରୀ ଇନ୍ସପେକ୍ଟର, ଅବକାରୀ ଥାନା ଓଆଇସି କୌଶଲ୍ୟା ଜେନାଙ୍କ ନେତୃତ୍ୱରେ ଆଜି ଭୋର ପ୍ରାୟ ୪ଟା ବେଳେ ଲୋକେଶ୍ୱରପୁରର ଶିବ ମନ୍ଦିର ନିକଟରେ ଛକି ବସିଥିଲେ। ଏହି ସମୟରେ ଏକ ନିଭୃତସ୍ଥାନରେ ସେହି ଅଂଚଳର ହରପ୍ରସାଦ ଦାସ (୨୪) ଏକ ୟାମାହା ମୋଟରସାଇକଲ ସହ ପହଂଚି ଅପେକ୍ଷା କରିଥିବା ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ତାଙ୍କ ନିକଟରୁ ଏକ ପ୍ୟାକେଟ୍ ଭର୍ତି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାପରେ ଖୋଜାଖୋଜି କରିବାରେ ତାଙ୍କ ନିକଟରୁ ନଗଦ ୯ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା। ଏହି ଟଙ୍କା ସେ ବ୍ରାଉନସୁଗାର ବିକ୍ରି ବାବଦରେ ପାଇଥିବା ସ୍ୱୀକାର କରିଥିଲା। ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ କହିଛନ୍ତି ଯେ ଅଭିଯୁକ୍ତଙ୍କ ନିକଟରୁ ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ।

ତାଙ୍କ ନିକଟରୁ ଏକ ମୋଟର ସାଇକଲ (ଓଡି୦୨ଏଜେଡ୍ ୩୨୨୧) ମଧ୍ୟ ଜବତ କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ଥାନା ନମ୍ବର ୧୦୭/୨୦୨୧ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ଏତେ ପରିମାଣରେ ବ୍ରାଉନସୁଗାର କେଉଁଠାରୁ ଆଣୁଥିଲା, କାହାରିକୁ ବିକ୍ରି କରୁଥିଲା ସେନେଇ ଶ୍ରୀ ସାହୁ କହିଛନ୍ତି ଯେ ଏନେଇ ତଦନ୍ତ ଜାରି ରହିଛି ତେବେ ସେ ବାହାରୁ ଆଣି ଖୋର୍ଦ୍ଧାର ଛୋଟ ବେପାରୀଙ୍କୁ ବିକ୍ରି କରୁଥିଲା। ଏଠାରେ ସୂଚନା ଯୋଗ୍ୟ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ୨୦୧୯- ୨୦ ଆର୍ଥିକ ବର୍ଷରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ କେବଳ ୧୧ଟି ମାମଲାରେ ୨୦୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ୨ଟି ମାମଲାରେ ଗଂଜେଇ ୭ କିଲୋଗ୍ରାମ ଜବତ କରାଯାଇଥିଲା।

୨୦୨୦ ଅପ୍ରିଲ୍ ଠାରୁ ୨୦୨୧ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ବ୍ରାଉନସୁଗାର ମାମଲା ବ୍ୟତୀତ କୌଣସି ବଡ଼ ଧରଣର ଧରପଗଡ଼ କରାଯାଇନଥିଲା। ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳରେ ଚାଲୁଥିବା ବ୍ରାଉନସୁଗାର କାରବାରରେ ଅବକାରୀ ବିଭାଗର ଏଭଳି ନିରବତାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ଗତ ୧୦ ମାସ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ଆଜି ଧରାଯାଇଥିବା ବ୍ରାଉନସୁଗାର ଚଳିତ ବର୍ଷର ସବୁଠାରୁ ବଡ଼ଧରଣର ମାମଲା ଅଟେ। ଲୋକେଶ୍ୱରପୁରରୁ ଏତେ ଅଧିକମାତ୍ରାରେ ବ୍ରାଉନସୁଗାର ଧରାଯିବା ପରେ ପୁଣି ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ଜୋର ଧରିଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର