ସୋରଡ଼ା: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ରୋଜଗାର ଆଶାରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ୪ ମାସ ଭିତରେ ଜିଲ୍ଲାର ୧୩ରୁ ଅଧିକ ଯୁବ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଏହାର ଜ୍ବଳନ୍ତ ଉଦାହରଣ। ସେହିପରି କିଛି ଶ୍ରମିକ ନିର୍ଯାତିତ ‌ହେଉଥିବାର କରୁଣ କାହାଣୀ ସାମ୍ନାକୁ ଆସୁଛି। ଏହି ଧାରାରେ ପୁଣି ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଘଟଣା। ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକ ଦୁବାଇରେ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, ସୋରଡ଼ା ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ କଳାଖାଡ଼ି ଗ୍ରାମର ଉଦୟ ସ୍ବାଇଁଙ୍କ ପୁଅ ସୁଶାନ୍ତ ସ୍ବାଇଁ।

Advertisment

ସୁଶାନ୍ତ ସୁରତରେ ଏକ ସୂତାକଳରେ କାମ କରୁଥିବା ବେଳେ ଗତ ୫ ତାରିଖରେ ଟ୍ରେନ୍ ଯୋଗେ ଘରକୁ ଫେରୁଥିଲେ। ତେବେ ଗତକାଲି ବିଳାସପୁର ନିକଟ ସିଗ୍‌ମା ଷ୍ଟେସନ୍‌ରେ ଅସାବଧାନତାବଶତଃ ସେ ଟ୍ରେନ୍‌ରୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାକାର ରେଳବାଇ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁ ପ‌ରେ ତାଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଗରିବ ଶ୍ରେଣୀର ହୋଇଥିବାରୁ ଶବକୁ ଭିଟାମାଟିକୁ ଆଣିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି।