କୋରାପୁଟ : ହତ୍ୟା ଉଦ୍ୟମ ମାମଲାରେ ଅନ୍ତ ଖରା ଦୋଷୀ ସାବ୍ୟସ୍ତ

କୋରାପୁଟ : କୋରାପୁଟ ସହକାରୀ ଦୌରା ଜଜ ଏକ ହତ୍ୟା ମାମଲାର ବିଚାର କରି ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି ବିଚାରପତି ନିଶା ସାମଲ। ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୭, ୩୨୫ ଅନୁଯାୟୀ ପଟାଙ୍ଗି ଥାନା ଅନ୍ତର୍ଗତ ଭିତରକୋଟା ଗ୍ରାମର ଅଭିଯୁକ୍ତ ଅନ୍ତ ଖରାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦୦୦ ଟଙ୍କା ଜୋରିମାନା ଶୁଣାଇଛନ୍ତି । ଜୋରିମାନା ଅନଦେୟ ହେଲେ ଆଉ ୩୦ଦିନ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି ।

ସୂଚନା ଅନୁଯାୟୀ, ଗତ ୨୮ ଏପ୍ରିଲ ୨୦୧୯ ତାରିଖ ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଭିତରକୋଟା ଗ୍ରାମର ମାଲୁ ଖରାଙ୍କୁ ସେହି ଗ୍ରାମର ଅନ୍ତ ଖରା ମରଣାନ୍ତକ ଆକ୍ରମଣ କରିଥିବା ନେଇ ପଟାଙ୍ଗି ଥାନାରେ ମାଲୁ ଖରା ଏତଲା ଦେଇଥିଲେ । ଏତଲା ଅନୁଯାଇ ଅଭିଯୁକ୍ତ ଅନ୍ତ ଖରା ତାର ପୈତୃକ ଜମି ବିକ୍ରି କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ପୈତୃକ ସମ୍ପତ୍ତି ବିକ୍ରି ନ କରିବାକୁ ମାଲୁ ଖରା ଏବଂ ଅନ୍ୟ ଗ୍ରାମବାସୀ ତଥା ଗ୍ରାମ ପଞ୍ଚାୟତର ପ୍ରତିନିଧିମାନେ ଅଭିଯୁକ୍ତକୁ ବୁଝାଇ ଥିଲେ ।  ବୁଝିବା ପରିବର୍ତ୍ତେ ଅଭିଯୁକ୍ତ ପ୍ରଚୁର ମଦ୍ୟପାନ କରି ତା ପରଦିନ ଏକ ଘାଗଡ଼ା ଦ୍ୱାରା ମାଲୁ ଖରାକୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲା । ଘାଗଡ଼ାଟି ମାଲୁର ବେକରେ ନ ବାଜି ମୁଁହରେ ବାଜିଥିଲା ଆଉ ମାଲୁର ତଳ ଦାନ୍ତ ଗୁଡିକ ଭାଙ୍ଗିଯିବା ସହ ଗାଲ ଓ ଓଠ କଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା ।  ଏନେଇ ମାଲୁ ଖରା ଘଟଣାର ପରଦିନ ପଟାଙ୍ଗି ଥାନାରେ ଏତଲା ଦେବାପରେ  ଭାରତୀୟ ପିଙ୍ଗଳ କୋଡ଼ ଦଫା୩୦୭/୫୦୬ ଅନୁଯାଇ ପଟାଙ୍ଗି ଥାନାରେ କେଶ ନମ୍ବର ୩୮/୨୦୧୯ ରୁଜ୍ଜୁ ହୋଇଥିଲା । ପଟାଙ୍ଗି ପୋଲିସ ଘଟଣାର ତଦନ୍ତ କରି  ଅଭିଯୁକ୍ତ ନାମରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ପରବର୍ତ୍ତୀ ସମୟରେ କୋରାପୁଟ ସହକାରୀ ଦୌରା ଜର୍ଜଙ୍କ ଅଦାଲତରେ କେଶ ନମ୍ବର ସିଟି ୧୫/୨୦୧୯ ରେ ବିଚାର ଚାଲିଥିଲା। ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ମାନ୍ୟବର ବିଚାରପତି ଆଜି ଉପରୋକ୍ତ ରାୟ ଶୁଣାଇଛନ୍ତି ।  ଏହି ମାମଲାଟିକୁ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ସାହୁ ପରିଚାଳନା କରିଥିଲେ ।

 

 

ସମ୍ବନ୍ଧିତ ଖବର