ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନାର ୨ୟ ଲହର: ଗୋଟିଏ ଦିନରେ ୧୪ ସଂକ୍ରମିତ

ଖୋର୍ଦ୍ଧା:ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୧୪ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି ।

ଜିଲ୍ଲା ଆପାତ୍କାଳୀନ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଆଜି ବାଲିଅନ୍ତାରୁ ୩, ବାଲିପାଟଣାରୁ ୨, ଭୁବନେଶ୍ୱର ବ୍ଲକ, ଖୋର୍ଦ୍ଧା, ବେଗୁନିଆ, ଟାଙ୍ଗୀ, ଚିଲିକା-ବାଲୁଗାଁରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ବାହାର ଜିଲ୍ଲାରୁ ଆସିଥିବା ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସ୍ୱଗୃହ ଏକାନ୍ତବାସରେ ରଖାଯାଇଛି । ବର୍ତମାନ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୬୩ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ବାଲିପାଟଣାରେ ସର୍ବାଧିକ ୧୭ଜଣ ସକ୍ରିୟ ରୋଗୀ ଓ ବାଣପୁରରେ ସର୍ବନିମ୍ନ ଜଣେ ସକ୍ରିୟ ରୋଗୀ ରହିଛନ୍ତି । ଆଜି ୬୦୯ଟି ରାପିଡ୍ ଆଂଟିଜେନ୍ ଓ ୩୨୪ଟି ଆର୍ଟିପିସିଆର୍ ପରୀକ୍ଷଣ ଅର୍ଥାତ୍ ମୋଟ ୯୩୩ ପରୀକ୍ଷଣରୁ ୧୪ଜଣଙ୍କ ପଜିଟିଭି ଚିହ୍ନଟ ହୋଇଛି । ପରୀକ୍ଷଣର ସଂଖ୍ୟା ସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାଯାଇଛି ।

ସେହିଭଳି ଟିକାଦାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀ ଡା ବିଶ୍ୱରଂଜନ ପତି କହିଛନ୍ତି ଯେ ଆଜି ୪୬୨୭ଜଣଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ରହିଥିଲା । ତେବେ ଦିନ ଶେଷ ସୁଦ୍ଧା ୧୮୫୧ଜଣଙ୍କୁ ଟିକା ଦିଆଯାଇପାରିଛି । ସଂକ୍ରାନ୍ତି ଓ ହନୁମାନ ଜୟନ୍ତି ହେତୁ ଟିକାଦାନ ଧିମେଇ ଥିବା ସେ ଅନୁମାନ କରିଛନ୍ତି ।

ସମ୍ବନ୍ଧିତ ଖବର