ବିଶ୍ବର ପ୍ରାୟ ୩୦୦ ନିୟୁତ ଲୋକ ଏତେ ଦରିଦ୍ର ଯେ କିଣି ପାରନ୍ତି ନାହିଁ ହଳେ ଜୋତା

ବାଲେଶ୍ବର (ରୁଦ୍ରରଂଜନ ଶେଜପଡ଼ା): ଆମେ ହୁଏତ କେବେ ଜୋତାର ଗୁରୁତ୍ବ କଥା ଚିନ୍ତା କରୁନା। ଜୋତା ହେଉଛି ଆମ ପାଦ ପାଇଁ, ଆମ ଶରୀର ପାଇଁ ସୁରକ୍ଷାକବଚ ପରି। ତେବେ ଜୋତା ବିଷୟରେ ଚର୍ଚ୍ଚା କରିବାକୁ ଆଜି ହେଉଛି ଉପଯୁକ୍ତ ଦିନ। କାରଣ ମଙ୍ଗଳବାର ସାରା ବିଶ୍ବରେ ପାଳନ ହୋଇଛି ‘ଗୋଟିଏ ଦିନ, ଜୋତା ବିନା’ ଦିବସ।
ଏମିତି ଅନେକ ଜିନିଷ ଅଛି, ଯେଉଁ ଜିନିଷଗୁଡ଼ିକୁ ଛାଡ଼ି ଆମେ ଦୈନନ୍ଦିନ ଜୀବନ ଜିଇବା କଷ୍ଟକର। ଯେପରି କି ମୋବାଇଲ୍‌, ବିଦ୍ୟୁତ୍‌, ବାଇକ୍‌, ଟେଲିଭିଜନ… ଏମିତି ଅନେକ କିଛି। ସେଗୁଡ଼ିକ ମଧ୍ୟରେ ଆ‌ଉ ଏକ ଜିନିଷ ଅଛି, ଯାହାକୁ ଛାଡ଼ି ଚଳିବା ଭାରି ମୁସ୍କିଲ୍‌। ଆପଣମାନେ ଭାବୁଥିବେ ସେଇଟା କ’ଣ! ଆଜ୍ଞା ସେଇଟା ହେଉଛି ଜୋତା ବା ଚପଲ ହଳଟିଏ।
କିଛି ସେକେଣ୍ଡ ପାଇଁ ଆପଣ ପ୍ରତିଦିନ କରୁଥିବା କାମ ଜୋତା ବିନା କରିବାକୁ ଭାବନ୍ତୁ। ଆପଣ ଖାଲିପାଦରେ ଦୋକାନକୁ ଗଲେ ଛୋଟ ପଥରଖଣ୍ଡ କିମ୍ବା କାଚଖଣ୍ଡ ପାଦକୁ କ୍ଷତି ପହଞ୍ଚାଇପାରେ। ଖେଳପଡ଼ିଆକୁ ଗଲେ ପାଦ ଆଙ୍ଗୁଠିକୁ ସୁରକ୍ଷିତ ରଖି ଆପଣ କିପରି ଏକ ଫୁଟ୍‌ବଲ୍‌କୁ କିକ୍‌ କରିବେ! ଜୀବାଣୁମାନେ ଆପଣଙ୍କୁ ସଂକ୍ରମିତ କରିପାରନ୍ତି। ଖରାରେ ଉତ୍ତପ୍ତ ରାସ୍ତାରେ ଚାଲି ଗଲା ବେଳେ ଆପଣଙ୍କ ପାଦରେ ଫୋଟକା ହୋଇଯାଇ ପାରେ।

ଜୋତା ଆମ ପାଇଁ ସୁରକ୍ଷାକବଚ ପରି। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଜୋତାର ସ୍ଥାନ ସ୍ବତନ୍ତ୍ର। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ବର ପ୍ରାୟ ୩୦୦ ନିୟୁତ ଲୋକ ଏତେ ଦରିଦ୍ର ଅଟନ୍ତି ଯେ ସେମାନେ ଜୋତା କିଣି ପିନ୍ଧି ପାରନ୍ତି ନାହିଁ। ଫଳରେ ସେମାନଙ୍କୁ ଅନେକ ଯନ୍ତ୍ରଣା ଓ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।
ଜୋତା କିଣି ପିନ୍ଧିବାକୁ ସକ୍ଷମ ନ ଥିବା ସେହି ଲୋକଙ୍କ ପାଇଁ ଆଜିର ଦିନଟିକୁ ଉତ୍ସର୍ଗ କରାଯାଇଛି। ସାରା ବିଶ୍ବରେ ପାଳନ ହେଉଛି ‘ଗୋଟିଏ ଦିନ, ଜୋତା ବିନା’ ଦିବସ। ଲକ୍ଷ୍ୟ ରହିଛି ପ୍ରତି ଗରିବ ଲୋକଙ୍କଠାରେ ଜୋତା ଉପଲବ୍‌ଧ କରାଇବା। ତେଣୁ ଆପଣ କେହି ପ୍ରିୟଜନ ତଥା ଗରିବ ଲୋକଙ୍କୁ ଜୋତା ଉପହାର ଦେବାକୁ ଚାହୁଁଥିଲେ ଆଜି ହେଉଛି ଉପଯୁକ୍ତ ଦିନ। ‘ଗୋଟିଏ ଦିନ, ଜୋତା ବିନା’ ଦିବସ କାଲିଫର୍ଣ୍ଣିଆର ଏକ କମ୍ପାନି ‘ଟମ୍‌ସ ସୁ’ ପକ୍ଷରୁ ଆରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା ଜୋତାର ଗୁରୁତ୍ବ ବିଷୟ‌େର ଲୋକଙ୍କୁ ଜଣାଇବା ତଥା ଗରିବଙ୍କ ପାଖରେ ଜୋତା ଉପଲବ୍‌ଧ କରାଇବା।

‘ଟମ୍‌ସ ସୁ’ କମ୍ପାନିର ମାଲିକ ବ୍ଲେକ୍‌ ମାଇକୋସ୍କି ୨୦୦୬ ମସିହାରେ ଆର୍ଜେଣ୍ଟିନା ଯାଇଥିଲେ। ସେ ସେଠାରେ ଦେଖିଲେ ଯେ ଅଧିକାଂଶ ପିଲା ଖାଲିପାଦରେ ରାସ୍ତାରେ ଖେଳାବୁଲା କରୁଛନ୍ତି। ଜାଣିବାକୁ ପାଇଲେ ଆର୍ଜେଣ୍ଟିନାରେ ଜୋତା ଅଭାବ ଏକ ବଡ଼ ସମସ୍ୟା। ତେଣୁ ସେ ତା’ର ସମାଧାନ କରିବାକୁ ଅଣ୍ଟା ଭିଡ଼ିଲେ। ବ୍ଲେକ୍‌ ମାଇକୋସ୍କି ତାଙ୍କ କମ୍ପାନିରେ ଆରମ୍ଭ କଲେ ‘ୱାନ୍‌ ଟୁ ୱାନ୍‌’ ବ୍ୟବସାୟ ମଡେଲ୍‌। କମ୍ପାନି ଯେତେ ହଳ ଜୋତା ବିକ୍ରି କଲା, ସେତେ ହଳ ଜୋତା ବିନା ମୂଲ୍ୟରେ ଆର୍ଜେଣ୍ଟିନା ତଥା ଅନ୍ୟ ଦେଶର ଛୋଟବଡ଼ ନାଗରିଗଙ୍କୁ ପ୍ରଦାନ କରାଗଲା। ଏହି କ୍ରମରେ ପ୍ରଥମ ବର୍ଷରେ ହିଁ ‘ଟମ୍‌ସ ସୁ’ କମ୍ପାନି ୧୦ ହଜାର ହଳ ଜୋତା ଆର୍ଜେର୍ଟିନାର ପିଲାମାନଙ୍କୁ ବାଣ୍ଟିଥିଲା।
ଜୋତା ହେଉଛି ଆମ ଜୀବନଚର୍ଯ୍ୟା ସହ ଜଡ଼ିତ ଥିବା ଏକ ପ୍ରମୁଖ ଜିନିଷ। ‘ଗୋଟିଏ ଦିନ, ଜୋତା ବିନା’ ଦିବସ ବିଷୟରେ ଆଜି ଆମେ ଚର୍ଚ୍ଚା କରୁଛେ। ଆସନ୍ତୁ ବ୍ଲେକ୍‌ ମାଇକୋସ୍କିଙ୍କ ଜୋତା ଉପହାର ଦେବା ଭଳି ଏକ ମହତ ଅଭିଯାନରେ ସାମିଲ ହେବା। ଜଣେ ଗରିବଙ୍କୁ ଜୋତା ଦାନ କରି ପାଦକୁ ସୁରକ୍ଷା ଦେବା ସହ ତାଙ୍କ ମୁହଁରେ ହସ ଫୁଟାଇବା।

ସମ୍ବନ୍ଧିତ ଖବର