ମାଛଗାଡ଼ି ଓଲଟି ଜଣେ ମୃତ, ୧୧ ଗୁରୁତର

ବାଲେଶ୍ବର : ଜାନୁଗଞ୍ଜ ନିକଟ ଜାତୀୟ ରାଜପଥରେ ମାଛଗାଡ଼ି ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଅଡ଼ା ସିମୁଳିଆ ଅଞ୍ଚଳର ରଶିକ ଦାସ(୫୦)। ସେହିପରି ଗୁରୁତର ଆହତ ହୋଇଥିବା ଭଦ୍ରକ ମଇତାପୁର ଅଞ୍ଚଳର ଗୋଲଖ ମଳିକ, ଅଡ଼ା ଚନ୍ଦନପୁର ଅଞ୍ଚଳର କାଳନ୍ଦୀ ଜେନା, ରମେଶ ଦାସ, ମାର୍କୋଣାର ଗୟାଧର ମଳିକ, ବେଗୁନିଆର ଅନନ୍ତ ମଳିକ, ଗଜେନ୍ଦ୍ର ମଳିକ, ମହେଶ୍ବର ମଳିକ, ଅଡ଼ାର ବାପୁନ, ଚାଳକ କାଳିଆ ଦାସ, ରାଇକୂଳାର ଗଜ ମାଝୀ ଏବଂ ଦହପଡ଼ା ବାବାଜି ମଳିକ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ହେଲେ ଦୁର୍ଘଟଣା ପରେ ଚାଳକ କାଳିଆ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି ।

ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧ଟା ସମୟରେ ଏକ ମାଛବୋଝେଇ ମହିନ୍ଦ୍ରା ସୁପ୍ରୋ କଷାଫଳ ମୁହାଁଣରୁ ମଇତାପୁର ଆସୁଥିଲା। ଦ୍ରୁତ ଗତିରେ ଆସୁଥିବା ଏହି ମାଛ‌ବୋଝେଇ ଗାଡ଼ିଟି ଜାନୁଗଞ୍ଜ ନେସ୍କୋ ଅଫିସ୍‌ ସମ୍ମୁଖ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଅସୁଥିବା ୧୨ଜଣଲୋକ ତଳେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ଦେଖି ଆଖପାଖଲୋକ ଧାଇଁ ଆସିଥିଲେ। ଲୋକଙ୍କୁ ଉଦ୍ଧାର ପାଇଁ ଲାଗିପଡ଼ିଥିଲେ। ଯାହାକୁ ନେଇ‌ ସେଠାରେ ଜାମ୍‌ ପରିସ୍ଥିତି ଉପୁଜିଥିଲା। କିଛି ସମୟ ପାଇଁ ଜାତାୟତ ଠପ୍‌ ହୋଇଯାଇଥିଲା। ଖବରପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ମେଡ଼ିକାଲ୍‌ ପଠାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରଶିକଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର