କାମ ସାରି ଘରକୁ ଫେରୁଥିଲେ, ଗଛ ଡାଳ ପଡ଼ି ଶ୍ରମିକଙ୍କ ମୃତ୍ୟୁ, ଜଣେ ଆହତ

ବର୍ଷକ ମଧ୍ୟରେ ତୃତୀୟ ଘଟଣା

ରାଉରକେଲା: ରଘୁନାଥପାଲି ଥାନା ଅନ୍ତର୍ଗତ ମଣି କଲୋନିରେ ଗଛ ଡାଳ ପଡ଼ି ଶୁକ୍ରବାର ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟଜଣେ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାର ବାମଡ଼ା ଅଞ୍ଚଳର ରାଜକୁମାର କିଷାନ ‘ଏଲ୍‌ ଆଣ୍ଡ ଟି’ର ଠିକା ସଂସ୍ଥା ‘ସାହୁ ଇଞ୍ଜିିନିୟରିଂ ଓ୍ଵାର୍କସ୍‌ରେ ଶ୍ରମିକ ଭାବେ କାମ କରୁଥିଲେ। ଅନ୍ୟ ଦିନ ଭଳି ଆଜି ମଧ୍ୟ ସେ କାମ ସାରି ଅପରାହ୍ଣ ପ୍ରାୟ ୪ଟାରେ ନିଜେ ରହୁଥିବା ଭଡ଼ା ଘରକୁ ଫେରୁଥିଲେ। ମଣି କଲୋନି ଦେଇ ଯାଉଥିବା ବେଳେ ଏକ କୃଷ୍ଣଚୂଡ଼ା ଗଡ଼ର ବଡ଼ ଡାଳ ମୁଣ୍ଡ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ ହିଁ ରାଜକୁମାରଙ୍କ ମୃତ୍ୟୁ ଘଟିଛି।

ରାଜକୁମାରଙ୍କ ସହିିତ ଅନ୍ୟଜଣେ ଶ୍ରମିକ ସୁଧୀର କୁଜୁରୁ ଥିଲେ, ଯିଏ କି ଗଛ ଡାଳ ପଡ଼ିବାରୁ ଆହତ ହୋଇଥିଲେ। ଆହତ ସୁଧୀରଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ, ଗୋଟିଏ ବର୍ଷ ମଧ୍ୟରେ ରାଉରକେଲାରେ ସାମାନ ପ୍ରକାରର ତୃତୀୟ ଘଟଣା ଘଟିଛି। ପୂର୍ବରୁ ମଧ୍ୟ ଗଡ଼ ଡାଳ ପଡ଼ି ୨ଟି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର