ଗୋରୁ ଗୁହାଳ ମରାମତି ପାଇଁ ଜଙ୍ଗଲକୁ ଯାଇଥିଲେ, ମାଟି ଅତଡ଼ା ଖସି ନାବାଳିକା ମୃତ ଓ ୩ ମହିଳା ଗୁରୁତର

ବିଷମକଟକ: ଗୋରୁ ଗୁହାଳ ମରାମତି ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ନାବାଳିକା, ୩ ଜଣ ମହିଳା ଓ ଜଣେ ପୁରୁଷ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ମାଟି ଅତଡ଼ା ଖସିବାରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ପଂଚାୟତର ସାନକାଚପାଇ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ଟୁନି ପ୍ରାସ୍କା (୧୫) ।

ସୂଚନା ଅନୁସାରେ ଗୋରୁ ଗୁହାଳ ମରାମତି ପାଇ ଘରଠାରୁ ୧୫୦ ମିଟର ଦୂରରେ ଥିବା ଜଙ୍ଗଲରୁ ମୁରୁମ ଆଣିବାକୁ ଯାଇଥିଲେ ପୂର୍ଣ୍ଣ ଉର୍ଲାକା, ଇନ୍ଦ୍ର ପ୍ରାସ୍କାଙ୍କ ଝିଅ ଟୁନି, କୁମୁଟି ଉର୍ଲାକାଙ୍କ ସ୍ତ୍ରୀ ରଶ୍ମିତା ଉର୍ଲାକା, ରାଜୁ ହିକକାଙ୍କ ଝିଅ ଲତିକା ହିକକା ଓ ଶମ୍ବରୁ କୁମୁରୁକାଙ୍କ ଝିଅ ସୁଜିତା । ତେବେ ପୂର୍ଣ୍ଣ ମାଟି ଖୋଳୁଥିବା ବେଳେ ଅନ୍ୟ ୪ ଜଣ ଏହାକୁ ବୋହିବା ପାଇଁ ପ୍ରସ୍ତୁତ ଥିଲେ । ଏହି ସମୟରେ ଅଚାନକ ବଡ଼ ବଡ଼ ପଥର ଖସିଥିଲା । ଘଟଣାସ୍ଥଳରେ ଟୁନିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ମହିଳା ଗୁରୁତର ହୋଇଛନ୍ତି । ପୂର୍ଣ୍ଣ ସାମାନ୍ୟ ଆହତ ହୋଇଛନ୍ତି ।

ଗୁରୁତର ୩ ମହିଳାଙ୍କୁ ପ୍ରଥମେ ବିଷମକଟକସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର