ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ଓ ତିନି ଆହତ

ଝରିଗାଁ/ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଝରିଗାଁ -ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ ଏକ ଚାଉଳ ବୋଝେଇ ମିନିଟ୍ରକ(୪୦୭)ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଥାଉକି ଆଜି ସକାଳେ ନବରଙ୍ଗପୁରର ଏକ ମିନିଟ୍ରକ (ଓଡ଼ି ୨୪/୬୧୭୨) ଯୋଗେ ନବରଙ୍ଗପୁରରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏମ.ଡି.ଏମ ଚାଉଳ ନେଇ ଚନ୍ଦାହାଣ୍ଡି ଅଭିମୁଖେ ଯାଉଥିଲା । ଦିନ ୧୦ଟା ସମୟରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଉକ୍ତ ଗାଡିର ବ୍ରେକ ଫେଲ୍ ହୋଇଯିବାରୁ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ଶ୍ରମିକ ସଦା ହରିଜନ (୩୫), ଈଶ୍ୱର ହରିଜନ(୪୦), ବାବୁଲା ହରିଜନ(୪୦) ଓ କିରଣ ପଟ୍ଟନାୟକ(୩୬)ଗାଡିରୁ ଛିଟିକି ପଡିଥିଲେ ।

ତେବେ ଘଟଣାସ୍ଥଳରେ ସଦା ହରିଜନଙ୍କ ମୃତ୍ୟୁ ହୋଇଯାଇଥିଲା। ଉକ୍ତ ରାସ୍ତା ଦେଇ ଯାଉଥିବା ଚନ୍ଦାହାଣ୍ଡି ଅଂଚଳର ଦୁଇ ଯୁବକ ବିରଞ୍ଚି ନାରାୟଣ ଦାଶ ଓ ବସନ୍ତ ବିଶୋଇ ଆହତମାନଙ୍କୁ ଉଦ୍ଧାର କରିବା ସହ ଝରିଗାଁ ଓ ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଝରିଗାଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଈଶ୍ୱର ଓ ବାବୁଲାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଝରିଗାଁ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଝରିଗାଁ ଥାନା କେସ୍ ନଂ /୨୦ ପ୍ରକାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର