ବ୍ରାହ୍ମଣୀ ସେତୁରେ ପିଟି ହେଲେ ୨ ବାଇକ ଆରୋହୀ: ଜଣେ ମୃତ, ଅନ୍ୟ ଗୁରୁତର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଲଲେଇ ବ୍ରାହ୍ମଣୀ ସେତୁ ଉପରେ ବାଇକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଯୁବକ ଗୁରୁତର ହୋଇଛନ୍ତି । ଆଜି ଅପରାହ୍ନରେ ବଣାଇଁଗଡ ସହରର କନ୍ତଯୋଡି ସାହିର ଶେଷଦେବ ସେଠୀ (୨୮) ଓ ଅନ୍ୟ ଜଣେ ଇଞ୍ଜିନକଟା ସାହିର ଧର୍ମବୀର ମହାକୁଲ (୩୨)  କୌଣସି କାମରେ ଲଲେଇ ଗ୍ରାମକୁ ଯାଇ ସେଠାରୁ ଫେରୁଥିଲେ। ସେତୁ ଉପରେ ବାଇକଟି ଭାରସାମ୍ୟ ହରାଇ ସେତୁର ସିମେଣ୍ଟ ଖୁଣ୍ଟରେ ବାଡ଼େଇ ହୋଇ ଉଭୟ ତଳେ ପଡିଯାଇ ଗୁରୁତର ହୋଇପଡିଥିଲେ। ଫଳରେ ରାସ୍ତା ଦେଇ ଯାଉଥିବା ପଥଚାରୀମାନେ ଦେଖି ତୁରନ୍ତ ବଣାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ବଣାଇଁ ଦମକଳ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ସାମ୍ନା କରିଥିବା ଦୁଇଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ଶେଷଦେବ ସେଠୀଙ୍କୁ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

ତେବେ ଦୁର୍ଘଟଣା ଖବର ପାଇ ପ୍ରଥମେ ବଣାଇଁ ପୁଲିସ ପହଞ୍ଚି ଘଟଣା ତଦନ୍ତ ଚଲାଇଥିବା ବେଳେ ଏହି ଦୁର୍ଘଟଣା ଲହୁଣିପଡ଼ା ଥାନା ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଘଟଣା ତଦନ୍ତ ଚଲାଇଥିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର