ବାଣ ଭିଡ଼ା ବେଳେ ବିସ୍ଫୋରଣ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର, ଦୋହଲିଲା ଶାଳପଡା ଅଞ୍ଚଳ

ଯାଜପୁର: ବେଆଇନ ଭାବେ ବାଣ ଭିଡ଼ାଯାଉଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ବାଣ ଭିଡୁଥିବା ବାଣୁଆଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ସହଯୋଗୀ ଗୁରତର ଆହତ ହୋଇଛନ୍ତି। ମୃତକଙ୍କ ନାମ ଖଗେଶ୍ୱର ମଲିକ (୪୫) ବୋଲି ଜଣାପଡ଼ିଛି। ଆଜି ଅପରାହ୍ନରେ ବଡ଼ଚଣା ବ୍ଲକ ତଥା ବୈରୀ ଥାନା ଅନ୍ତର୍ଗତ ଶାଳପଡା ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଛି। ତେବେ ଏହି ବାଣ ବିସ୍ଫୋରଣ ସମୟରେ ହୋଇଥିବା ପ୍ରଚଣ୍ଡ ଶବ୍ଦ ସମଗ୍ର ଶାଳପଡା ଅଂଚଳକୁ ଦୋହଲାଇ ଦେଇଥିବା ବେଳେ ଲୋକମାନଙ୍କ ଭିତରେ ଆତଙ୍କ ଖେଳି ଯାଇଛି। ଏହି ବିସ୍ଫୋରଣରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ଶାଳପଡା(କୁଆଁରିଆକୂଳ) ଗାଁର ଖଗେଶ୍ୱର ମଲିକ (୪୫) ଓ ଅନ୍ୟ ଜଣେ ଅପରିଚିତ ବ୍ୟକ୍ତି ଉଭୟ ବାଣ ଭିଡୁଥିଲେ। ଏହି ସମୟରେ କୌଣସି କାରଣରୁ ସେଠାରେ ବିସ୍ଫୋରଣ ଘଟିଥିଲା। ଏଥିରେ ଖଗେଶ୍ୱର ଏବଂ ଅପରିଚିତ ବ୍ୟକ୍ତି ଜଣକ ପୋଡ଼ିଯାଇ ଗୁରୁତର ହୋଇିଥିଲେ ଏବଂ ବାଣ ଭିଡ଼ାଯାଉଥିବା ଚାଳଘରଟି ସମ୍ପୁର୍ଣ୍ଣ ପୋଡିଯାଇଥିଲା। ବାଣ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ନିକଟସ୍ଥ ସାହି ଲୋକେ ଭୟଭିତ ହୋଇ ବାହାରକୁ ଚାଲିଆସିଥିଲେ।

ଖଗେଶ୍ୱରଙ୍କ ଘର ଭିତରୁ ଗ୍ରାମବାସୀମାନେ ଖଗେଶ୍ୱର ଓ ଅପରିଚିତ ବ୍ୟକ୍ତିଜଣକୁ ଗୁରୁତର ଅବସ୍ଥାରେ ବାହାରକୁ ଆଣିଥିଲେ। ଉଭୟଙ୍କ ଶରୀର ପୋଡ଼ିଯାଇଥିବା ବେଳେ ସେମାନଙ୍କୁ ତୁରନ୍ତ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଖଗେଶ୍ୱରଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିବା ବେଳେ ଅଚିହ୍ନା ବ୍ୟକ୍ତିଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ପଠାଯାଇଛି।

ଖବର ପାଇ ବୈରୀ ଥାନା ଦାୟିତ୍ୱରେ ଥିବା ଡିଏସପି ଦୀପକ କୁମାର ଗୋଚ୍ଛାୟତ ଓ ଏସ.ଆଇ ବିଶ୍ୱଜିତ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଥିବା ବ୍ୟକ୍ତିଙ୍କର ବିଷୟରେ ନାନା କଥା ଆଲୋଚନା ହେଉଥିବା ବେଳେ ପୁଲିସକୁ ଅଦ୍ୟାବଧି ତାଙ୍କର ପରିଚିୟ ମିଳି ନ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର